ଗୋପାଳପୁର ଠାରୁ ୧୦୦ କିଲୋମିଟର ଦୂରରେ ବାତ୍ୟା ‘ଗୁଲାବ୍’
ଭୁବନେଶ୍ୱର : ବାତ୍ୟା ‘ଗୁଲାବ୍’ ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁର ଠାରୁ ୧୦୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୧୯ କିଲୋମିଟର ବେଗରେ ଗତି କରୁଥିବା ବାତ୍ୟା ଏବେ ୨୪ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ଜରିଆରେ ବାତ୍ୟାର ପର୍ଯ୍ୟବେକ୍ଷଣ ଜାରି ରହିଛି।
ବାତ୍ୟା ଓଡ଼ିଶାର ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗର ୧୦୦ କିଲୋମିଟର ଦୂର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୦୫ କିଲୋମିଟର୍ ଦୂରରେ ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଏହି ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତ ୩ ଘଣ୍ଟା ଧରି ପଶ୍ଚିମାଭିମୁଖୀ ହୋଇ ଗତି କରୁଛି। ଏହା ପଶ୍ଚିମାଭିମୁଖୀ ହୋଇ ଆଜି ସଂଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ଦକ୍ଷିଣ ଓଡ଼ିଶାର କଳିଙ୍ଗପଟ୍ଟନମ୍ ଓ ଗୋପାଳପୁର ଦେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସାମୁଦ୍ରିକ ଝଡ଼ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ଏବଂ ମଧ୍ୟେ ମଧ୍ୟେ ଘଣ୍ଟାପ୍ରତି ୯୫ କିଲୋମିଟର୍ ବେଗରେ ପବନର ଝଟକା ଦେଇପାରେ ବୋଲି ସେ କହିଛନ୍ତି । ଏଥିସହ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସିବାର ସମ୍ଭାବନା ରହିଛି। ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
