ବସ୍ତା ଛାତ୍ର ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ
ବସ୍ତା : ବସ୍ତା ବ୍ଲକ ସ୍ଥିତ ଡାକବଙ୍ଗଳା ସଭା କକ୍ଷରେ ଶୁକ୍ରବାର ବସ୍ତା ଛାତ୍ର ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ କରି ଏହି କାର୍ଯ୍ୟକାରିଣୀ ଆୟୋଜିତ ହୋଇଥିଲା ।
ବସ୍ତା ବ୍ଲକ ଛାତ୍ର ବିଜେଡ଼ି ସଭାପତି ହରେକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ଅତିଥି ଭାବେ ପର୍ଯ୍ୟବେକ୍ଷକ ତଥା ବିସିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସମ୍ବିତ କୁମାର ବେହେରା ଏବଂ ବାଲେଶ୍ୱର ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମକୁ ପଞ୍ଚାୟତ ଓ ୱାର୍ଡ ସ୍ତରରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଟାଉନ ଛାତ୍ର ସଭାପତି କୁଶାଲ ଚାଟାର୍ଜୀ, ଛାତ୍ରନେତା ସୁଶୀଲ ପଣ୍ଡା ପ୍ରମୁଖ ଅଭିଭାଷଣ ରଖିଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆଗଧାଡିର ଛାତ୍ରନେତାମାନେ ଯୋଗ ଦେଇଥିଲେ | ଶେଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
