ବସ୍ତା ବ୍ଲକ କଂଗ୍ରେସର ବୈଠକ, ୧୯ରେ ଟାଟା ପାୱାର ବିରୋଧରେ ଆନ୍ଦୋଳନ ନିଷ୍ପତ୍ତି
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ପତ୍ରଝଡ଼ା ପଞ୍ଚାୟତରେ ଗୁରୁବାର କଂଗ୍ରେସର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା ସଭାପତିତ୍ୱ କରିଥିଲେ । ପିସିସି ମୁଖପାତ୍ର ସୁଦର୍ଶନ ଦାସ ଓ ନିର୍ବାଚନମଣ୍ଡଳୀ ନେତା ବିଜନ ନାୟକ ଯୋଗଦେଇ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଟାଟା ପାୱାର ଜନମାରଣ ନୀତିକୁ ତୀବ୍ର ବିରୋଧ କରିଥିଲେ । ମନଇଚ୍ଛା ବିଦ୍ୟୁତ୍ କାଟ୍, ଅତ୍ୟଧିକ ବିଲ୍ ଲାଗୁ କରିବା, ଜବରଦସ୍ତ ଘରେ ପଶି ଜରିମାନା ଆଦାୟ କରିବା ଆଦି ଉପଭୋକ୍ତାଙ୍କୁ ଅସହ୍ୟ ବୋଲି ଆଲୋଚନା ହୋଇଥିଲା । ପ୍ରତିବାଦରେ ଆସନ୍ତା ୧୯ ତାରିଖରେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।
ଜିଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ଏହି ସମ୍ମିଳନୀରେ ମଞ୍ଚ ପରିଚାଳନା କରିଥିଲେ । ୩୧ଟି ପଞ୍ଚାୟତର ସଭାପତି, ସରପଞ୍ଚ, ସମିତିସଭ୍ୟ ଓ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେଇଥିଲେ । ବରିଷ୍ଠ ନେତା ନଗେନ୍ଦ୍ର କୁମାର ସିଂହ, କରୁଣାକର ମଲ୍ଲିକ, ରବୀନ୍ଦ୍ର ଦାସ, ଜୟନ୍ତ କୁମାର ମହାପାତ୍ର, ସଞ୍ଜିବ ମହାନ୍ତି, କମଳ ଲୋଚନ ଜେନା, ରବୀନ୍ଦ୍ର ଭଞ୍ଜ, ପ୍ରଣତି ସାହୁ, ସୁକାନ୍ତି ଭକ୍ତା, ଚକ୍ରଧର ମହାନ୍ତି ଓ ପ୍ରଦୀପ ଦେଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
