ବାରବାଟୀ ଟି-୨୦ : ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ
କଟକ : କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖ ରବିବାର ଅନୁଷ୍ଠିତ ହେବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ। ଗୁରୁବାର ଓ ଶୁକ୍ରବାର ଦିନ କାଉଣ୍ଟରରେ ଟିକଟ ବିକ୍ରି କରାଯିବ । ଷ୍ଟାଡିୟମ୍ର ପୁରୁଣ କାଉଣ୍ଟର ପାଖ ପାଚେରୀ ପାଖରେ ତିନୋଟି ଭ୍ରାମ୍ୟମାଣ ଷ୍ଟିଲ ବିଲ୍ଡିଂ ମାଧ୍ୟମରେ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ। ସକାଳ ୯ଟାରୁ ଟିକେଟ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨,୦୯୩ ଟିକଟ ଉପଲବ୍ଧ ହେବ। ସେଥିରୁ ୧୩୬୨ ଦାମି ଟିକେଟ ଏବଂ ୧୦,୭୩୧ ଗ୍ୟାଲେରି ଟିକେଟ୍ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ଜଣାଇଛନ୍ତି।
ଟିକେଟ ବିକ୍ରି ପାଇଁ ଆସିଥିବା ତିନୋଟି ଷ୍ଟିଲ ବିଲ୍ଡିଂ ମଧ୍ୟରୁ ହର୍ଷ ଗେଟ୍ ପାଖରେ ଉଚ୍ଚ ଦରର ଟିକେଟ ବିକ୍ରି କରାଯିବ। ସ୍ପେଶାଲ ଏନ୍କ୍ଲୋଜର, ଏସି ବକ୍ସ, ନିଉ ପାଭିଲିଅନ ଟିକେଟ ଏଠାରେ ମିଳିବ। କର୍ପୋରେଟ ବକ୍ସର ଟିକେଟ ଏଥର କାଉଣ୍ଟରରେ ମିଳିବ ନାହିଁ ବୋଲି କୁହାଯାଉଛି। ବିଭିନ୍ନ କର୍ପୋରେଟ ହାଉସ ଟିକେଟକୁ ଅଗ୍ରୀମ କିଣିଥିବାରୁ କାଉଣ୍ଟରେ ଏହାକୁ ଛଡ଼ାଯାଉନଥିବା ଓସିଏ ସୂତ୍ରରୁ ଜଣାପଡ଼ଛି। ଅନ୍ୟପକ୍ଷରେ ପାଣି ଟାଙ୍କି ନିକଟରେ ୨ଟି ଷ୍ଟିଲ ବିଲ୍ଡିଂେର ସାଧାରଣ ଟିକେଟ ବିକ୍ରି କରାଯିବ। ଏହି ୨ଟି ବିଲ୍ଡିଂରେ ୫ଟି ଲେଖାଏଁ କାଉଣ୍ଟର ଥିଲେ ହେଁ ୫ଟି କାଉଣ୍ଟର ଖୋଲାଯିବ। ଷ୍ଟାଡିୟମର ପୁରାତନ ୨ଟି ସ୍ଥାୟୀ କାଉଣ୍ଟରରେ ମହିଳାଙ୍କ ପାଇଁ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଏହି ୭ଟି କାଉଣ୍ଟରରେ କେବଳ ଗ୍ୟାଲେରି ଟିକେଟ ମିଳିବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିେକଟ କିଣିପାରିବେ। ସରକାରୀ ପରିଚୟ ପତ୍ର ଦେଖାଇ ଦର୍ଶକ ଟିକେଟ କିଣିପାରିବେ ବୋଲି କୁହାଯାଇଛି।
ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇ କହିଛନ୍ତି ଯେ, କାଉଣ୍ଟରରେ ୧୨ ହଜାର ଟିକଟ ବିକ୍ରି କରାଯିବ । ଇତିମଧ୍ୟରେ କର୍ପୋରେଟ୍ ବକ୍ସ ୨ ଏବଂ ୪ ନମ୍ବର ଗ୍ୟାଲେରୀର ଶୀତତାପ ନିୟନ୍ତ୍ରିତ ବକ୍ସର କିଛି ଟିକଟ କର୍ପୋରେଟ ସଂସ୍ଥାଗୁଡ଼ିକୁ ବିକ୍ରି ହୋଇସାରିଛି । ସେହିଭଳି ଓସିଏ ସହ ଅନୁବନ୍ଧିତ ୟୁନିଟ୍ ଗୁଡ଼ିକ ପାଇଁ ଗତକାଲି ଏବଂ ଆଜି ଟିକଟ ବିକ୍ରି କରାଯାଉଛି । ସୂଚନାଯୋଗ୍ୟ ୩୨ଟି କ୍ରିକେଟ ଜିଲ୍ଲା, ୨୬ଟି କ୍ଲବ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ମିଶାଇ ମୋଟ୍ ୭୦ଟି ୟୁନିଟ୍ ଅନୁବନ୍ଧିତ ଅଛନ୍ତି ।
