ବାରବାଟୀ ଟି-୨୦ : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
କଟକ : ଆଜି ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ । ରବିବାର ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଏହି ମୁକାବିଲା । ଅପରାହ୍ନ ୩ଟାରୁ ଦର୍ଶକଙ୍କ ପାଇଁ ଖୋଲିବ ଷ୍ଟାଡିୟମ ଗେଟ୍ । ଦର୍ଶକ କେବଳ ମୋବାଇଲ ଫୋନ୍, ଚଷମା ନେଇ ଭିତରକୁ ଯାଇପାରିବେ । ତେବେ ୱାଟର ବୋତଲ, ବାଡି, ଫାୟାର ଲାଇଟର, ଛୁରୀ, ହେଲମେଟ, ମ୍ୟାଚ ଷ୍ଟିକ୍ ନେବାକୁ ବାରଣ କରାଯାଇଛି । ଏମିତିକି ଖୁଚୁରା ପଇସା ନେବାକୁ ବାରଣ କରାଯାଇଛି । ତେବେ ମାସ୍କ ପରିଧାନକୁ କଡାକଡି କରାଯଇଛି । ବିନା ମାସ୍କରେ ଷ୍ଟାଡିୟମକୁ ଏଂଟ୍ରି ମନା ବୋଲି ପୋଲିସ ସ୍ପଷ୍ଟ କରିଛି । ଶୃଙ୍ଖଳିତ ଭାବେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି ମ୍ୟାଚ ପାଇଁ ନିୟୋଜିତ ହେବେ ମୋଟ୍ ୬୨ ପ୍ଲାଟୁନ ପୋଲିସ ଫୋର୍ସ । ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନସ୍ପେକ୍ଟର ରାଙ୍କର ଅଫିସର,୨୭୦ ଜଣ ସବଇନସ୍ପେକ୍ଟର ରାଙ୍କର ଅଫିସର, ୧୧୩ ଜଣ ଟ୍ରାଫିକ ପର୍ସୋନେଲ, ୪୩ ଜଣ ମହିଳା କନଷ୍ଟେବଲ, ୧୭୦ ଜଣ ହୋମଗାର୍ଡ ନିୟୋଜିତ ହେବେ । ସେହିପରି ମ୍ୟାଚର ସଫଳ ଆୟୋଜନ ପାଇ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଅଂଟା ଭିଡିଛି ।
ବାରବାଟୀରେ ଶେଷଥର ପାଇଁ ଟିମ ଇଣ୍ଡିଆ ୨୦୧୯ ମସିହା ଡିସେମ୍ବର ୨୨ରେ ଖେଳିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆକୁ ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆ ଜିତି ବାରବାଟୀରେ ସିରିଜ କବଜା କରିଥିଲା । ଏହାପୂର୍ବରୁ ଶ୍ରୀଲଙ୍କାକୁ ମଧ୍ୟ ଗୋଟିଏ ଟି-୨୦ ମ୍ୟାଚ୍ରେ ଭାରତ ୯୩ ରନ୍ରେ ହରାଇଥିଲା । ଅବଶ୍ୟ ୨୦୧୫ରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ଦଳ ହାରିଥିଲା । ଉକ୍ତ ମ୍ୟାଚ୍ ଖେଳୁଥିବା କୌଣସି ଖେଳାଳି ଏଥର ଟିମ୍ ଇଣ୍ଡିଆର ସ୍କ୍ୱାଡରେ ନାହାନ୍ତି । ଏଥିସହ ଦକ୍ଷିଣ ଆଫ୍ରିକା ସିରିଜ୍ରେ ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିସିସିଆଇ ଚୟନ କମିଟି ବିଶ୍ରାମ ଦେଇଛି । ଏପରି ସ୍ଥିତିରେ ଯୁବ ଅଧିନାୟକ ପନ୍ତଙ୍କୁ ବାରବାଟୀରେ ବାଉନ୍ସ ବ୍ୟାକ୍ କରିବା ସେତେଟା ସହଜ ହୋଇ ନପାରେ । କିନ୍ତୁ ଦଳ ପାଖରେ ଏକାଧିକ ମ୍ୟାଚ୍ ୱିନର ରହିଛନ୍ତି । ପ୍ରାୟ ଅଧିକାଂଶ ବ୍ୟାଟର ଫର୍ମରେ ଥିବା ପ୍ରଥମ ଟି-୨୦ରେ ପ୍ରମାଣ ଦେଖାଇଛନ୍ତି । ବ୍ୟାଟିଂକୁ ନେଇ ଟିମ୍ ଇଣ୍ଡିଆ ଆଦୌ ଚିନ୍ତିତ ନୁହେଁ । ବିସ୍ଫୋରକ ଆରମ୍ଭ ଦେବାକୁ ଈଶାନ କିଶନ ଥିବା ବେଳେ ଫିନିଶର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ମଧ୍ୟକ୍ରମରେ ଶ୍ରେୟସ ଆୟର ଓ ଋଷଭ ପନ୍ତ ଅଛନ୍ତି । ଭେଟରାନ ଦୀନେଶ କାର୍ତିକ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ପୁଣି ଟିମ୍ ଇଣ୍ଡିଆକୁ କମବ୍ୟାକ କରିଛନ୍ତି । ତେଣୁ ବ୍ୟାଟିଂ ଲାଇନଅପକୁ ନେଇ କୌଣସି ପରୀକ୍ଷାନୀରିକ୍ଷା ଆସନ୍ତାକାଲି କରାଯାଇ ନପାରେ ।
