ବାଂଲାଦେଶ ନାରାୟଣଗଞ୍ଜ କାରଖାନା ଅଗ୍ନିକାଣ୍ଡ : ୫୨ମୃତ
ବାଂଲାଦେଶ : ବାଂଲାଦେଶର ରାଜଧାନୀ ବାହାରେ ଏକ ଖାଦ୍ୟ ଏବଂ ପାନୀୟ କାରଖାନାରେ ନିଆଁ ଲାଗି ଅତି କମରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଗ୍ନିଶମ ଅଧିକାରୀ ଶୁକ୍ରବାର କହିଛନ୍ତି। ଢାକା ବାହାରେ ଥିବା ରୁପଗଞ୍ଜରେ ଥିବା ପାଞ୍ଚ ମହଲା ହାଶେମ୍ ଫୁଡ୍ ଆଣ୍ଡ ବେଭରେଜ୍ ଲିମିଟେଡ୍ କାରଖାନାରେ ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ପୋଲିସ ପ୍ରଥମେ ତିନି ଜଣ ମୃତକଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ କରିଥିଲା, କିନ୍ତୁ ପରେ ନିଆଁ ଲିଭାଇବା ପରେ ଶୁକ୍ରବାର ଅପରାହ୍ନରେ ଅନେକ ମୃତଦେହ ଜବତ କରାଯାଇଥିଲା। ଏଥିସହ ଅଗ୍ନିକାଣ୍ଡରେ ନିଆଁ ଲାଗିଯିବାରୁ ଉପର ମହଲାରୁ ଡେଇଁବା ସମୟରେ ଅତି କମରେ ୨୬ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତ କରାଯାଇଛି। ଅଗ୍ନିଶମ ସେବା ଏବଂ ସିଭିଲ୍ ଡିଫେନ୍ସର ଡେପୁଟି ଡାଇରେକ୍ଟର ଦେବଶିଶ ବର୍ଦ୍ଧନ କହିଛନ୍ତି ଯେ କାରଖାନା ଭିତରୁ ୫୨ ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଉପର ଦୁଇ ମହଲା ଏପର୍ୟ୍ୟନ୍ତ ଖୋଜାଖୋଜି ହୋଇନାହିଁ।
ନାରାୟଣଗଞ୍ଜର ଶେଜାନ ଜୁସ କାରଖାନାରେ ଅଗ୍ନିକାଣ୍ଡରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୫୨ ଜଣ ପ୍ରାଣ ହରାଇଥିବା ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି। ଅନେକ କର୍ମଚାରୀ ଏହି ଅଗ୍ନିକାଣ୍ଡରୁ ରକ୍ଷା ପାଇବାକୁ ଛ’ ମହଲାରୁ ତଳକୁ ଡେଇଁ ପଡିଥିଲେ। ନିଆଁ ଲିଭାଇବା ପାଇଁ ୧୮ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ୬ ମହଲା କୋଠାର ତଳ ମହଲାରେ ନିଅଁ ଲାଗିଥିଲା ଏବଂ ସେଠାରେ ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ନିଅଁ ଶୀଘ୍ର ଉପର ମହଲଗୁଡିକୁ ବ୍ୟାପି ଯାଇଥିଲା। ନାରାୟଣଗଞ୍ଜ ଜିଲ୍ଲା ଅଗ୍ନିଶମ ସେବା ବିଭାଗର ସହକାରୀ ନିର୍ଦ୍ଦେଶକ ଅବଦୁଲ୍ଲା ଅଲ ଆରେଫିନ କହିଛନ୍ତି ଯେ କେତେ କ୍ଷୟକ୍ଷତି ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ ସଠିକ୍ ଭାବରେ କହିବା ସମ୍ଭବ ନୁହେଁ। ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଏକ ପାଞ୍ଚ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।
