ପିଏନଜିକୁ ପରାସ୍ତ କରି ସୁପର୍-୧୨ରେ ବାଂଲାଦେଶ
ଅଲ୍ ଅମିରାତ୍: ପରାଜୟରୁ ଆରମ୍ଭ କରିଥିବା ବାଂଲାଦେଶ କ୍ରିକେଟ୍ ଟିମ୍ ଜବରଦସ୍ତ କମବ୍ୟାକ୍ କରି ଚଳିତ ଆଇସିସି ଟି-୨୦ ବିଶ୍ୱକପର ସୁପର୍-୧୨ରେ ପ୍ରବେଶ କରିଛି । ଗୁରୁବାର ଖେଳାଯାଇଥିବା ରାଉଣ୍ଡ-୧ର ଗ୍ରୁପ୍- ବି’ର ଏକ ମ୍ୟାଚରେ ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ବାଂଲାଦେଶ ୮୪ ରନରେ ପାନୁଆ ନ୍ୟୁ ଗିନୀ (ପିଏନଜି)କୁ ପରାସ୍ତ କରିଛି । ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ପିଏନଜିର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି । ଉକ୍ତ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ସାକିବ୍ ଓ କ୍ୟାପଟେନ୍ ମହମ୍ମଦୁଲ୍ଲାଙ୍କ ଦମଦାର ବ୍ୟାଟିଂ ବଳରେ ୭ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା । ଜବାବରେ ପିଏନଜି ଟିମ୍ ୧୯.୩ ଓଭରରେ ମାତ୍ର ୯୭ ରନରେ ଅଲଆଉଟ୍ ହୋଇଛି । ବ୍ୟାଟିଂରେ ୪୬ ରନ୍ ଓ ବୋଲିଂରେ ୪ ୱିକେଟ୍ ନେଇଥିବା ସାକିବ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଟସ୍ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ତା’ର ଓପ୍ନର ମହମ୍ମଦ ନଇମ (୦)ଙ୍କୁ ଇନିଂସର ଦ୍ୱିତୀୟ ବଲରେ ହରାଇଥିଲା । ତେବେ ଲିଟନ୍ ଦାସ (୨୯) ଓ ସାକିବ ଦ୍ୱିତୀୟ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଂଚାଇଥିଲେ । ମିଡଲ୍ ଅର୍ଡରରେ ମହମ୍ମଦୁଲ୍ଲା ଏବଂ ଶେଷ ଆଡ଼କୁ ମହମ୍ମଦ ସୈଫୁଦ୍ଦିନଙ୍କ ଦ୍ରୁତ ରନ୍ ବଳରେ ବାଂଲାଦେଶ ୧୮୧ ରନର ମଜଭୁତ୍ ସ୍କୋର ଛିଡ଼ା କରିଥିଲା । ସାକିବ୍ ୩୭ ବଲରେ ୩ ଛକା ସହ ୪୬, ମହମ୍ମଦୁଲ୍ଲା ୫୦ (୨୮ ବଲୋ, ୩ ଚୌକା, ୩ ଛକା), ଆଫିଫ୍ ହୋସେନ୍ ୨୧ ଓ ସୈଫୁଦ୍ଦିନ ଅପରାଜିତ ୧୯ (୬ ବଲ୍, ୧ ଚୌକା, ୩ ଛକା) ରନ୍ କରିଥିଲେ । ପିଏନଜି ପକ୍ଷରୁ କାବୁଆ ମୋରିଆ, ଡାମିଏଲ୍ ରାଭୁ ଓ ଅସଦ ଭାଲା ୨ଟି ଲେଖାଏ ୱିକେଟ୍ ନେଇଥିଲେ ।୧୮୨ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ପିଏନଜିର କିପଲିନ୍ ଡୋରିଗାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନଥିଲେ । ଯେଉଁ କାରଣରୁ ଦଳର ସ୍କୋର ୧୦୦ ରନ୍ ବି ଟପିପାରିନଥିଲା । ଡୋରିଗା ୩୪ ବଲରେ ୨ ଚୌକା ଓ ୨ ଛକା ସହ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଚାଡ୍ ସୋପର୍ ୧୧ ରନ୍ କରିଥିଲା । ବାଂଲାଦେଶର ସାକିବ୍ ୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ସେହିପରି ସୈଫୁଦ୍ଦିନ ଓ ତସକିନ୍ ଅହମ୍ମଦ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।
