ଦିଲ୍ଲୀରେ ବାଣଫୁଟା ଉପରେ ଜାରି ରହିବ ପ୍ରତିବନ୍ଧକ : ସୁପ୍ରିମକୋର୍ଟ
ବାଣ କଟକଣା ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦୀପାବଳିରେ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହାଛଡ଼ା ସୁପ୍ରିମକୋର୍ଟ ମଧ୍ୟ ବାରିୟମ ବ୍ୟବହାର କରି ବାଣ ତିଆରି ଏବଂ ବ୍ୟବହାର କରିବା ପାଇଁ ଏକ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। କେନ୍ଦ୍ର ସରକାର ଏବଂ ବାଣ ନିର୍ମାତାମାନେ ଏହି ଶ୍ରେଣୀର ବାଣ ତିଆରି ଓ ବିକ୍ରୟ ପାଇଁ ଉଚ୍ଚତମ ନ୍ୟାୟାଳୟରୁ ଅନୁମତି ଲୋଡିଥିଲେ ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ବାଣ ତିଆରିରେ ବାରିୟମ୍କୁ କେମିକାଲ୍ ରୂପେ ବ୍ୟବହାର ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ବାଣ ତିଆରି କମ୍ପାନୀଗୁଡିକ କୋର୍ଟରେ ଏ ନେଇ ଦାବି କରିଥିଲେ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଲଡି ଭଳି ଜଏଣ୍ଟ୍ ବାଣ ତିଆରି ଏବଂ ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି ରଖିବେ। ସାରା ଦେଶର ଏଜେନ୍ସିଗୁଡିକ ସୁପ୍ରିମ୍ କୋର୍ଟଙ୍କ ଆଦେଶ ପାଳନ କରିବାକୁ କୋର୍ଟ କହିଛନ୍ତି। ଜଷ୍ଟିସ୍ ଏ ଏସ୍ ବୋପନ୍ନ ଓ ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦରେଶଙ୍କ ବେଞ୍ଚ୍ ବାଣ ନିର୍ମାତା କମ୍ପାନୀଙ୍କ ପ୍ରତିବନ୍ଧକ ହଟାଇବା ସମ୍ପର୍କିତ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ବାଣ ଉପରେ ଲଗାଯାଇଥିବା ନିଷେଧାଦେଶ ବିରୋଧରେ ବିଜେପି ସାଂସଦ ମନୋଜ ତିଓ୍ଵାରୀ ଆବେଦନ କରିଥିଲେ । ହେଲେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ଦୀପାବଳି ପାଳନ କରିବା ପାଇଁ ଅନ୍ୟ ଉପାୟ ଖୋଜି ପାରିବେ। ଯଦି ଆପଣ ବାଣ ଫୁଟାଇବାକୁ ଚାହୁଁଛନ୍ତି, ତେବେ ସେହି ଭଳି ରାଜ୍ୟକୁ ଯାଆନ୍ତୁ, ଯେଉଁଠି ବାଣକୁ ନେଇ କିଛି ପ୍ରତିବନ୍ଧକ ନାହିଁ। ସେହିପରି ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ସ୍ଥାନରେ ପ୍ରଦୂଷଣସ୍ତର କମ୍ ରହିଛି, ସେଠାରେ ସବୁଜ ବାଣ ଫୁଟାଇବାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ ।
