ଦୁର୍ଦ୍ଦଶା ଘେରରେ ବାଲିଆପାଳ ପାନ ଚାଷୀ, ସରକାରୀ ସହାୟତା ମିଳିବ କେବେ
ବାଲିଆପାଳ : ପାନ ପତରକୁ ସରକାରଙ୍କ ଆଡ଼ ନଜର । ବାଲେଶ୍ୱର ଜିଲାର ବାଲିଆପାଳର ପାନ ଚାଷୀ ମନେ ଘାତ ପ୍ରତିଘାତ ଓ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିଲେ ହେଁ, ସରକାରଙ୍କ ଏଥିପ୍ରତି ଦୃଷ୍ଟି ନ ଦେବା ପରିତାପର ବିଷୟ ହୋଇଛି । ବ୍ଲକ ଦକ୍ଷିଣାଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତର ୮୦ହଜାରରୁ ଅଧିକ ଲୋକ ଏଇ ପାନ ଉପରେ ଜୀବିକା ନିର୍ବାହ କରନ୍ତି । କିଁ ଭାଁ ଲୋକଙ୍କୁ ଛାଡ଼ିଦେଲେ ପାନ କାର୍ଯ୍ୟରେ ଲିପ୍ତ ରୁହନ୍ତି । ପାନ ବରରେ ମାଟି ଦେବା, ବାନ୍ଧିବା, ସପ୍ତାହକୁ ଦୁଇଥର ପାଣିଦେବା, ବାନ୍ଧିବା, ମୂଳରେ ମାଟି ଦେବା, ପାନ ଭାଙ୍ଗିବା, ପାନ ନଛିବା, ଭାଟି ଦେବା ସମେତ ବହୁ ଛୋଟ ବଡ଼ କାମରେ ସମସ୍ତେ ଲିପ୍ତ ରୁହନ୍ତି । ବିଶେଷ କରି ବାଲିଆପାଳର ପାନ ଦିଲ୍ଲୀ, ମୁମ୍ବାଇ, ବନାରସ, ହାଇଦ୍ରାବାଦ, କଲକାତା, ସୁରଟ ଇତ୍ୟାଦି ବିଭିନ୍ନ ରାଜ୍ୟରେ ଆଦର ଥିବାରୁ ଚାହିଦା ବଢ଼ିଛି ।
ପ୍ରଥମେ ୩୦ବର୍ଷ ତଳେ ବାଲିଆପାଳ ପାନକୁ ବନାରସି ଲୋକ କିଣିନେଇ ଭାଟି ମାଧ୍ୟମରେ ଗରମ କରି ପାଚିଲା ପତ୍ର କରି ବନାରସି ପାନ ନାମକରଣ କରି ଅନ୍ୟତ୍ର ବହୁ ମୂଲ୍ୟରେ ବିକ୍ରି କରୁଥିଲେ । ଏ କଥା ଏ ଅଞଚଳର କିଛି ବ୍ୟବସାୟୀ ଜାଣି ପାରି ଏଇ ଭାଟି ଟେକ୍ନୋଲୋଜି ଶିଖିଯାଇ ଏଇଠୁ ଭାଟିଦେଇ ପାଚିଲା ପାନ ତିଆରି କରି ଦେବା ଆରମ୍ଭ କରିଥିଲେ । ସେଥିପାଇଁ ଏଠିକାର ପାନ ପତ୍ରର ଚାହିଦା ବୃଦ୍ଧି ହୋଇପାରିଛି । ଦେଶୀ ପାନସହିତ ଚନ୍ଦ୍ର କଣା, କାଳିପାନ, ମିଠାପତ୍ର ଇତ୍ୟାଦି ପ୍ରକାରର ପାନ ଚାଷ କରାଯାଏ । ରତାଇ, ନୂଆଁଗାଁ ଓ ଆମ୍ବଚୁଆ ହାଟ ପାନ ବ୍ୟବସାୟର ମୁଖ୍ୟ କେନ୍ଦ୍ରସ୍ଥଳ । ଏଠାରେ ଚାଷୀ ଠାରୁ ବ୍ୟବସାୟୀ ମାନେ ପାନ କିଣି ଆଣି ପାନ ନଛିବା ସହିତ ଭାଟି ଦେଇ ପାନଟୁକୁରି କରି ବାହାରକୁ ରପ୍ତାନି କରାଯାଏ । ପ୍ରାୟତଃ ପଞ୍ଚୁପାଲି, ଜମ୍ଭୀରାଇ, ନୂଆଗାଁ, ରତାଇ, ଅଳାଡ଼ିହା, ବେତଗଡ଼ିଆ, ଡଗରା, ଚୌମୁଖ ଇତ୍ୟାଦି ପଞ୍ଚାୟତର ଲୋକ ପାନ ଚାଷ କରିବା ସହିତ ଏଥିରେ ଜୀବିକା ନିର୍ବାହ କରନ୍ତି । କିନ୍ତୁ ସରକାର ଏଯାଏଁ ଏହାକୁ କୃଷିର ମାନ୍ୟତା ନ ଦେବା ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହାକୁ ଯଦି ଉଦ୍ୟାନ କୃଷିର ମାନ୍ୟତା ମିଳନ୍ତା ତେବେ ଚାଷୀମାନେ ଉପକୃତ ହୁଅନ୍ତେ । ପାନ ବରଜ କରିବାକୁ ସରକାର ନା ପ୍ରୋତ୍ସାହନ ଯୋଗାଉଛନ୍ତି ନା କିଛି ସବ୍ସିଡ଼ି ଋଣର ବ୍ୟବସ୍ଥା କରାଯାଉଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ବରଜର ବ୍ୟାପକ କ୍ଷୟକ୍ଷତି ହେଲେ ସରକାର କୌଣସି କ୍ଷତିପୂରଣ ଦିଅନ୍ତି ନାହିଁ, କିମ୍ବା କିଛି ଇନ୍ସୁରେନ୍ସର ସୁବିଧା ନ ଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧା ସହ କ୍ଷତି ସହିଥାନ୍ତି । ପାନ ସୋସାଇଟି ଟିଏ ବି ନାହିଁ, ବେଳେ ବେଳେ ବିଦେଶରେ ବ୍ୟବସାୟୀମାନେ ପ୍ରାପ୍ୟ ଟଙ୍କା ନ ଦେବାରୁ ବ୍ୟବସାୟୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରନ୍ତି ନାହିଁ । ଉନ୍ନତ ମାନର ଚାଷ ଏବଂ ଅଧିକ ଅମଳ ସହିତ ବଜାର ସୃଷ୍ଟି କରିବାର ତାଲିମ ମଧ୍ୟ ଚାଷୀ ମାନଙ୍କୁ ଦିଆଯାଉ ନାହିଁ । ଯାହା ଫଳରେ ପାନ ଚାଷ ପ୍ରତି ଲୋକଙ୍କ ଆଗ୍ରହ କମିଯିବା ସହିତ କିଛି ଲୋକ ଚାଷ ଛାଡ଼ି ଦେଲେଣି । ତେଣୁ ସରକାର ଏଥିପ୍ରତି ନଜର ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
