ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ବାଲେଶ୍ୱର, ପରମିଟ ପଡ଼ିଆରେ ଜଳିଲା ସହସ୍ରାଧିକ ଦୀପ
ବାଲେଶ୍ୱର : ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟାଇ ବୁଧବାର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି । ଧାର୍ଯ୍ୟ ଶୁଭଲଗ୍ନରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଡ଼ିଆ ଫଟାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ବାଲଶ୍ୱର ସହର ସ୍ଥାନୀୟ ପରମିଟ ପଡିଆଠାରେ ଜିଲା ପ୍ରଶାସନ ଦ୍ୱାରା ଏକ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭଜନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଯୋଗ ଦେଇଥିବା ବେଳେ ଜିଲାପରିଷଦ ସଭାପତି ନାରାୟଣ ପ୍ରଧାନ, ଅତିରିକ୍ତ ଜିଲାପାଳ ସୁଧାକର ନାୟକ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମିଶନ ଶକ୍ତିର ମହିଳାମାନେ ଓ ବାଲେଶ୍ୱର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ ସହସ୍ରାଧିକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ସେହିଭଳି ସନ୍ଧ୍ୟା ୭ଟା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ବାଲେଶ୍ୱର ଜିଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏକ ଭକ୍ତିଭାବାବେଗପୂର୍ଣ୍ଣ ନାଟକ ‘ଜଗବନ୍ଧୁ ହେ ଜଗନ୍ନାଥ’ ମଞ୍ଚସ୍ଥ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ସୁଧାକର ନାୟକ ଯୋଗଦେଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ୩୦ଟି ଜିଲାରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ନାଟକମାନ ପରିବେଷଣ କରାଯାଇଛି ।
