‘ମୋ ସ୍କୁଲ ଅଭିଯାନ’ରେ କ୍ରମାଗତ ଦ୍ୱାଦଶ ଥର ପାଇଁ ଶୀର୍ଷରେ ବାଲେଶ୍ୱର
ବାଲେଶ୍ୱର : ‘ମୋ ସ୍କୁଲ ଅଭିଯାନ’ରେ କ୍ରମାଗତ ଭାବେ ଦ୍ୱାଦଶ ଥର ପାଇଁ ବାଲେଶ୍ୱର ଜିଲା ଓଡ଼ିଶାରେ ଶୀର୍ଷ ସ୍ଥାନ ହାସଲ କରିଛି । ବାଲେଶ୍ୱର ଶିକ୍ଷା ଜିଲାର ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୁତାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲାଶିକ୍ଷାଧିକାରୀ ଧରଣୀଧର ପାତ୍ର, ‘ମୋ ସ୍କୁଲ ଅଭିଯାନ’ର ଜିଲା ସଂଯୋଜକ ଡ. ସନ୍ଦୀପ କୁମାର ଖଟୁଆ ଏବଂ ତାଙ୍କ ଟିମ୍ର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ତଥା ସଂଯୋଜନା କ୍ରମେ ସମଗ୍ର ଜିଲା ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକର ଆଲୁମିନି ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସର୍ବମୋଟ୍ ଅର୍ଥରାଶି ୨କୋଟି ୩୬ଲକ୍ଷ ୨୪ହଜାର ୬୯୦ ଟଙ୍କା ସଂଗ୍ରହ କରାଯାଇଛି ।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଗତ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲା କାର୍ଯ୍ୟକାରିଣୀ ବୈଠକରେ ୨୨୪ଟି ବିଦ୍ୟାଳୟରୁ ୩୪୦ଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ଉକ୍ତ ବିଦ୍ୟାଳୟଗୁଡ଼ିକ ସହିତ ୧୬୮୬ ଜଣ ବଦାନ୍ୟ ବ୍ୟକ୍ତି ଏବଂ ୯୪୫୪ ଆଲୁମିନି ଯୋଡ଼ି ହୋଇଛନ୍ତି । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ‘ମୋ ସ୍କୁଲ ଅଭିଯାନ’ ରେ ସାମିଲ ହୋଇଥିବା ସମସ୍ତ ବିଦ୍ୟାଳୟ କେସ ରେକର୍ଡ଼ ଖୋଲିବାର ସ୍ଥିରୀକୃତ ହୋଇଥିଲା । ସେହିପରି ବୁଧବାର ୩୧ତମ ରାଜ୍ୟ କାର୍ଯକାରିଣୀ ପରିଷଦରେ ସର୍ବମୋଟ ୩୪୦ଟି ପ୍ରକଳ୍ପ ଅନୁମୋଦିତ ହୋଇ ରାଜ୍ୟ ସରକାରଙ୍କ ଠାରୁ ମ୍ୟାଚିଙ୍ଗ ଗ୍ରାଣ୍ଟ ବାବଦରେ ଅର୍ଥରାଶି ୪କୋଟି ୭୨ଲକ୍ଷ ୪୯ହଜାର ୩୮୦ ଟଙ୍କା ଆସିବାର ଲକ୍ଷ୍ୟ ରଖାଯାଇଛି । ଉକ୍ତ ଅନୁଦାନ ଅର୍ଥରାଶିରେ ବିଦ୍ୟାଳୟ ଗୁଡ଼ିକର ସାମଗ୍ରିକ ଉନ୍ନତୀକରଣ, ଇ-ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ, ସ୍ମାର୍ଟ ଶ୍ରେଣୀ ଗୃହ ଇତ୍ୟାଦିର ବ୍ୟବସ୍ଥା କରାଯାଇପାରିବ ବୋଲି ଜିଲା ଶିକ୍ଷାଧିକାରୀ ଶ୍ରୀ ସୁତାର ଦର୍ଶାଇଛନ୍ତି । କ୍ରମାଗତ ଭାବେ ବିପୁଳ ଅର୍ଥ ଯୋଗାଡ଼ରେ ସମଗ୍ର ରାଜ୍ୟରେ ବାଲେଶ୍ୱର ଜିଲା ଦ୍ୱାଦଶ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଭୋଗରାଇ ବ୍ଲକ ସର୍ବାଧିକ ଅର୍ଥରାଶି ୬୩ଲକ୍ଷ ୭୭ହଜାର ୯୫୦ଟଙ୍କା ଯୋଗାଡ଼ କରି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିଇଓ ଭଗିରଥ ଗିରିଙ୍କୁ ତଥା ବ୍ଲକର ସମସ୍ତ କର୍ମକର୍ତ୍ତାଙ୍କୁ ଜିଲା ଶିକ୍ଷାଧିକାରୀ ଶ୍ରୀ ସୁତାର ସାଧୁବାଦ ଜ୍ଞାପନ କରିଛନ୍ତି । ସେହିପରି ଜିଲାସ୍ତରରେ ଉକ୍ତ ସଫଳତା ପାଇଁ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଶ୍ରୀ ପାତ୍ର, ଜିଲା ସଂଯୋଜକ ଡ. ଖଟୁଆ, ନରେନ୍ଦ୍ର କୁମାର ଅଗସ୍ତି, ଶାଶ୍ୱତ ମହାପାତ୍ର, କମଳ ଲୋଚନ ବିଶ୍ୱାଳ, ଶିବ ଶଙ୍କର ମିଶ୍ର ଏବଂ ମୋ ସ୍କୁଲ ଟିମ୍ର ସମସ୍ତ ସଦସ୍ୟଙ୍କୁ ଜିଲା ଶିକ୍ଷାଧିକାରୀ ଶ୍ରୀ ସୁତାର ଧନ୍ୟବାଦ ଜ୍ଞାପନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ବାଲେଶ୍ୱର ଜିଲାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ନିମନ୍ତେ ପ୍ରୟାସକୁ ପ୍ରଶଂସା କରାଯାଇଛି । ଜିଲାର ସମସ୍ତ ବିଇଓ, ଏବିଇଓ, ପ୍ରଧାନ ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷକ, ସିଆର୍ସିସି ଏବଂ ମୋ ସ୍କୁଲର ବ୍ଲକସ୍ତରୀୟ ଟିମ୍ର ସମସ୍ତ କର୍ମକର୍ତ୍ତାଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ଜିଲା ଶିକ୍ଷାଧିକାରୀ ଶ୍ରୀ ସୁତାର । ନିକଟ ଭବିଷ୍ୟତରେ ଛାତ୍ରୀଛାତ୍ରୀଙ୍କୁ ଆନ୍ତର୍ଜାତୀୟସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ସାମିଲ କରାଇ ସଫଳତା ପାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
