ବାଲେଶ୍ୱର : ସରିଲା ମରାମତି କାର୍ଯ୍ୟ, ୩୨ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ
ହଳଦୀପଦା : ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ଵର-ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଗତ ବୁଧବାର ମାଟି ଅତଡ଼ା ଖାଇ ଟ୍ରାକ ଦବି ଯାଇଥିଲା। ଫଳରେ ଦୁଇ ଦିନ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ମାତ୍ର ଗୁରୁବାର ରେଳ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅପରାହ୍ନ ୩ ଟାରେ ଡାଉନ ଏନାକୁଲମ-ପାଟଣା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ପରୀକ୍ଷାମୂଳକ ଭାବେ ଡାଉନ ଲାଇନରେ ଏକ ମାଲବାହୀ ଟ୍ରେନ୍କୁ ହଳଦୀପଦା ଷ୍ଟେସନରୁ ବାଲେଶ୍ୱର ପର୍ଯ୍ୟନ୍ତ ନିଆଯାଇଥିଲା । ତେବେ ୩୨ ଘଣ୍ଟା ପରେ ଏହି ଲାଇନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲେ ହେଁ ବିଭାଗୀୟ ଅଧିକାରୀ ଓ ସିନିୟର ଇଞ୍ଜିନିଅରମାନେ ଅଦ୍ୟାବଧି ଉପସ୍ଥିତ ରହି ରେଳଧାରଣା ଓ ସୁରକ୍ଷା ପ୍ରତି ନଜର ରଖିଛନ୍ତି । ତେବେ ଏହି ସ୍ଥାନରେ ଟ୍ରେନ୍ର ବେଗ ଘଣ୍ଟାପ୍ରତି ୧୦ କିମି ବେଗ ରଖାଯିବା ସହ ବିଭାଗ ପକ୍ଷରୁ ଅନେକ କଟକଣା ରଖାଯାଇଛି ।
ବୁଧବାର ଏଠାରେ ରେଳଧାରଣା ଦବିଯିବା ନେଇ ଜଣାପଡ଼ିବା ପରେ ସକାଳ ୭ଟାରୁ ଏହି ଲାଇନ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା । ରେଳପଥ ଜିଏମ୍ ଏକେ ମିଶ୍ର, ଡିଆରଏମ୍ କେଆର ଚୌଧୁରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଭାଗୀୟ ବିଶେଷଜ୍ଞ ଦଳ ସହ ଇଲେକ୍ଟ୍ରିକାଲ, ସିଗନାଲ, ଅପରେଟିଙ୍ଗ ଓ ଇଞ୍ଜିନିଅରିଂ ଟିମ୍ ପହଞ୍ôଚ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରଖିଥିଲେ । କେବଳ ଅପ ଲାଇନରେ ଟ୍ରେନ ଚଳାଚଳ ହେଉଥିବାରୁ ୧୯ ଟି ଟ୍ରେନ୍ ବାତିଲ କରାଯାଇଥିଲା । ଗୁରୁବାର ଏହି ଲାଇନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଛି ।
