ବାଲେଶ୍ୱର : ୨୨ରୁ ଆରମ୍ଭ ହେବ ଡାଲି ଓ ତୈଳବୀଜ ଶସ୍ୟ କ୍ରୟ ବ୍ୟବସ୍ଥା
ବାଲେଶ୍ୱର : ବାଲେଶ୍ୱର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଶସ୍ୟ ସଂଗ୍ରହ କମିଟି (ଡାଲି ଓ ତୈଳବୀଜ ଉତ୍ପାଦ ନିମନ୍ତେ) ବୈଠକରେ ଆସନ୍ତା ମଇ ୨୨ତାରିଖରୁ ମାର୍କଫେଡ୍ ମାଧ୍ୟମରେ ଜିଲାର ଚାଷୀଙ୍କ ଠାରୁ ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ କ୍ରୟ ପ୍ରକ୍ରିୟା ଆରମ୍ଭ ହେବାର ନିଷ୍ପତ୍ତି ନିଆଯାଇଛି ।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ଅଶ୍ୱିନୀ ମହାପାତ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତଙ୍କ ସମେତ ଜିଲା କୃଷି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ସଂଗ୍ରହ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଚାଷୀ ଯେପରି ସେମାନଙ୍କ ବଳକା ଶସ୍ୟକୁ ସୁବିଧାରେ ବିକ୍ରି କରିପାରିବେ ଏବଂ ଏଥିପାଇଁ ଉଚିତ୍ ମୂଲ୍ୟ ପାଇପାରିବେ ସେ ନେଇ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରବି ଋତୁରେ ଉତ୍ପାଦିତ ଡାଲି ଓ ତୈଳବୀଜ ଫସଲର ଉଚିତ୍ ବିକ୍ରିବଟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ ସେମାନଙ୍କର ବଳକା ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦି ଶସ୍ୟକୁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟରେ ପ୍ରାଥମିକ ସେବା ସମବାୟ ସମିତିରେ ବିକ୍ରି କରିପାରିବେ । ଏଥି ପାଇଁ ଚଳିତ ବର୍ଷ ଜିଲାର ବାଲିଆପାଳ ବ୍ଲକର ଦେଭୋଗ, ଡଗରା, ଜଳେଶ୍ୱର ବ୍ଲକର ରାୟାରାମଚନ୍ଦ୍ରପୁର, ଲକ୍ଷ୍ମଣନାଥ ଏବଂ ଭୋଗରାଇ ବ୍ଲକର ଶଙ୍ଖାରୀ ସମବାୟ ସମିତିକୁ ଚିହ୍ନଟ କରାଯାଇଛି । ଆସନ୍ତା ମଇ ୨୨ତାରିଖରୁ ମାର୍କଫେଡ୍ ମାଧ୍ୟମରେ ଚାଷୀଙ୍କ ବଳକା ଶସ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଚାଷୀମାନେ ପ୍ରଥମେ ସେମାନଙ୍କ ନାମକୁ ଇ-ସମୃଦ୍ଧି ପୋର୍ଟାଲରେ ପଞ୍ଜୀକୃତ କରିବେ ଏବଂ ବିକ୍ରିଯୋଗ୍ୟ ଶସ୍ୟଗୁଡିକର ସ୍ୱଚ୍ଛ ସାଧାରଣ ମାନ ବଜାୟ ରଖି ନିର୍ଦ୍ଧାରିତ କେନ୍ଦ୍ରରେ ବିକ୍ରୟ କରିପାରିବେ । ଚଳିତ ବର୍ଷ ପାଇଁ କୁଇଂଟାଲ ପିଛା ମୁଗର ସହାୟକ ମୂଲ୍ୟ ୭୨୭୫ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ କୁଇଂଟାଲ ପିଛା ବିରିର ମୂଲ୍ୟ ୬୩୦୦ଟଙ୍କା, କୁଇଂଟାଲ ପିଛା ଚିନାବାଦାମ ମୂଲ୍ୟ ୫୫୫୦ ଟଙ୍କା ଏବଂ କୁଇଂଟାଲ ପିଛା ସୂର୍ଯ୍ୟମୁଖୀ ମୂଲ୍ୟ ୬୦୧୫ଟଙ୍କା ଧାର୍ଯ୍ୟ କରାଯାଇଛି । ଏ ବାବଦରେ ସଚେତନତା ପାଇଁ ନିୟନ୍ତ୍ରିତ ବଜାର କମିଟି, ଜଳେଶ୍ୱରଙ୍କ ଦ୍ୱାରା ପଦକ୍ଷେପ ନିଆଯିବ । ବିଶେଷ ସହାୟତା ନିମନ୍ତେ ଚାଷୀମାନେ ସ୍ଥାନୀୟ କୃଷି ଅଧିକାରୀ, ଚିହ୍ନଟ ପ୍ରାଥମିକ ସେବା ସମବାୟ ସମିତି ଏବଂ ମାର୍କଫେଡ୍ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଜିଲା ମୁଖ୍ୟ କୃଷି ଅଧିକାରୀ ନିବେଦନ କରିଛନ୍ତି । ଆଜିର ବୈଠକରେ ଡିଆରସିଏସ, ବାଲେଶ୍ୱର, ମାର୍କଫେଡ୍ ଏରିଆ ମ୍ୟାନେଜର, ଆରଏମସି, ବାଲେଶ୍ୱର ଓ ଜଳେଶ୍ୱରର କର୍ମକର୍ତା, ବିବିସିସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସହକାରୀ କୃଷି ଅଧିକାରୀମାନଙ୍କ ସମେତ ଜିଲାର କୃଷକମାନଙ୍କ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।
