ବାଲେଶ୍ୱର ୨ନଂ. ଜୋନ୍ : ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ବିଜେଡି ପ୍ରାର୍ଥୀକୁ ହରାଇବାରେ ନିର୍ଣ୍ଣାୟକ ଭୂମିକା ନେବେକି?
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ପ୍ରଚାର ଜାରି ରଖିଛନ୍ତି ପ୍ରାର୍ଥୀ । ବିଭିନ୍ନ ପ୍ରକାରର ଅଭିନବ ଉପାୟ ସହ ଲୋକଙ୍କ ନିକଟତର ହେଉଛନ୍ତି । ସେହିପରି କିଛି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅସନ୍ତୁଷ୍ଟ କର୍ମକର୍ତ୍ତା ଭାରି ପଡୁଛନ୍ତି । ଅସନ୍ତୁଷ୍ଟ କର୍ମୀମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନଯାଇ ସ୍ୱାଧୀନ ତଥା ଅନ୍ୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି । ଏଭଳି ଏକ ଘଟଣା ବାଲେଶ୍ୱର ଜିଲା ଔପଦା ବ୍ଲକ ଜୋନ୍ ନଂ୨ରେ ଦେଖିବାକୁ ମିଳିଛି ।
ଔପଦା ବ୍ଲକ ଜୋନ୍ ନଂ୨ ପାଇଁ ବିଜେଡି ପ୍ରାର୍ଥୀନୀ ଶ୍ରଦ୍ଧାଞ୍ଜଳି ଜେନା ଛିଡ଼ା ହୋଇଥିବା ବେଳେ ଏଠାରେ ୨୦୧୭ରେ ବିଜେଡି ସମର୍ଥନରେ ସ୍ୱାମୀ ଶୁଭେନ୍ଦୁ ଶେଖର ଜେନା ବିଜୟୀ ହୋଇଥିଲେ । ତାଙ୍କର ଜନହିତକର କାର୍ଯ୍ୟକୁ ପାଥେୟ କରି ଭୋଟରଙ୍କୁ ହାତେଇବା ପାଇଁ ଶ୍ରୀ ଜେନାଙ୍କ ସହ ପତ୍ନୀ ଶ୍ରଦ୍ଧାଞ୍ଜଳି ଭୋଟରଙ୍କ ନିକଟକୁ ଯାଉଛନ୍ତି । ଏହି ଜୋନ୍ଟି ବିଜେଡ଼ି ପାଇଁ ସମ୍ମାନର କଥା ହୋଇଥିବା ବେଳେ ଉକ୍ତ ଜୋନରେ ବିଜେଡିରୁ ଅସନ୍ତୁଷ୍ଟ ହୋଇ କିଛି କର୍ମକର୍ତ୍ତା ନୀଳଗିରି ଏନ୍ଏସି ଅଞ୍ଚଳର ଶିଶିର ମହାପାତ୍ର ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା ସମାଜସେବୀ ସବ୍ୟସାଚୀ ମହାପାତ୍ର (ଟୁବ୍ଲୁ)ଙ୍କ ସହ ମିଶି ଏହି ଜୋନ୍ରୁ ଚଳିତ ନିର୍ବାଚନରେ ୱାର୍ଡ଼ମେମ୍ବର, ସମିତିସଭ୍ୟ, ସରପଞ୍ଚ ଓ ଜିଲାପରିଷଦ ପାଇଁ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସବ୍ୟସାଚୀ ମହାପାତ୍ର ସ୍ୱାଧୀନ ପ୍ରାର୍ଥୀଙ୍କ ନେତୃତ୍ୱ ନେଇ ଜୋନ୍ ନଂ୨ ଜିଲା ପରିଷଦ ପ୍ରାର୍ଥୀନୀ ମୋନାଲିସା ମହାନ୍ତି, କାଣ୍ଡଗରଡ଼ି ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ବାରିକ (କାଳିଆ), ସମିତିସଭ୍ୟ ଜୟନ୍ତ ବେହେରା ଓ ୱାର୍ଡ଼ମେମ୍ବର ପ୍ରାର୍ଥୀଙ୍କୁ ନେଇ ସନ୍ତରାଗଡ଼ିଆ ଠାରୁ ତାଙ୍କ ସାଥୀ ସମର୍ଥକଙ୍କ ସହିତ ଶତାଧିକ କର୍ମୀ ମୋଟର ସାଇକେଲ ଯୋଗେ ଏକ ବିଶାଳ ଶୋଭାଯାତ୍ରାରେ କାଣ୍ଡଗରଡ଼ି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଘରକୁ ଘର ବୁଲି ନିଜ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ ।
ସୂଚନା ଯେ, ସବ୍ୟସାଚୀଙ୍କ ସହିତ ଅନେକ ବିଜେଡି ଦଳର ଅସନ୍ତୁଷ୍ଟ ପୁରୁଣା କର୍ମୀ ଶୋଭାଯାତ୍ରାରେ ସାମିଲ ଥିବା ଦେଖାଯାଇଛି । ତେଣୁ ସ୍ୱାଧୀନ ପ୍ରାର୍ଥୀ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣାଯାଇଛି । ଏହି ସ୍ୱାଧୀନ ପ୍ରାର୍ଥୀ ବିଜେଡିକୁ ହରାଇବାରେ ନିର୍ଣାୟକ ଭୂମିକା ନେବକି? ତେଣୁ ଉକ୍ତ ଆସନଟିକୁ ହାତେଇବାକୁ ବିଜେଡ଼ିକୁ କଡ଼ା ମୁକାବିଲାର ସମ୍ମୁଖୀନ ହେଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମୋନାଲିସା ମହାନ୍ତି ର୍ନବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଏକ ନୂଆ ସମୀକରଣ ସୃଷ୍ଟି କରିଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶିତ କରିଛନ୍ତି ।
