ବାଲେଶ୍ୱର : ହତ୍ୟାକାରୀକୁ ଆଜୀବନ ଜେଲ୍
ବାଲେଶ୍ୱର : ବାଲେଶ୍ୱର ଆଡିସନାଲ ସେସନ୍ ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି ସୋମବାର ଏକ ହତ୍ୟା ମାମଲାରେ ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫ହଜାର ଟଙ୍କା ଜରିମାନା ଅନାଦେୟ ୧ବର୍ଷ ୮ଦିନ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ନହରପଦା ଗ୍ରାମର ଉଦୟ ସିଂଙ୍କ ପତ୍ନୀ ଟୁନି (୩୮) କୌଣସି କାରଣରୁ ଗତ ୨୦୧୩ ଜୁଲାଇ ୧୨ ତାରିଖ ଅପରାହ୍ନ ସମୟରେ ଉକ୍ତ ଗ୍ରାମର ଧ୍ରୁବ ସିଂ (୫୦)ଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଧ୍ରୁବ ଉତ୍ତ୍ୟକ୍ତ ହୋଇ ଟୁନିକୁ ମାଡ଼ ମାରିଥିଲେ । ଘଟଣାର କିଛି ସମୟ ପରେ ଟୁନି ଘର ସମ୍ମୁଖ ନଳକୂପ ନିକଟରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ଟୁନିର ବାପଘର ଲୋକ ଜାଣିବା ପରେ ମା’ ଖଇରା ଥାନା ଅନ୍ତର୍ଗତ ନନ୍ଦୋରା ଗ୍ରାମର ସୁମି ସିଂ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସୋର ଥାନାରେ ମାମଲା (ନଂ. ୨୯୬/୧୩) ରୁଜୁ କରାଯାଇ ଆଡିସନାଲ ସେସନ୍ ଜଜ୍ଙ୍କ କୋର୍ଟରେ ବିଚାରାଧୀନ ଥିଲା । ସୋମବାର ଆଡିସନାଲ ସେସନ୍ ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ ।
