ବାଲେଶ୍ୱରରେ ସରିଲା ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ : ଅଧ୍ୟକ୍ଷ ପଦରେ ୨୫ ଓ କାଉନ୍ସିଲର ପାଇଁ ୩୮୭ ପ୍ରାର୍ଥୀ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଶେଷ ଦିନରେ ଅଧ୍ୟକ୍ଷ ପଦ ସମେତ ବିଭିନ୍ନ ୱାର୍ଡ଼ ପାଇଁ ପ୍ରାର୍ଥୀମାନେ ହେଭିୱେଟ୍ ନେତାଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲାରେ ମୋଟ୍ ୩ଟି ପୌରାଞ୍ଚଳ ଓ ୨ଟି ଏନ୍ଏସିରେ ଅଧ୍ୟକ୍ଷ ପଦ ପାଇଁ ୨୫ ଜଣ ପ୍ରାର୍ଥୀଙ୍କ ସମେତ ୩୮୭ ଜଣ କାଉନ୍ସିଲର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତନ୍ମଧ୍ୟରୁ ବାଲେଶ୍ୱର ପୌରାଞ୍ଚଳରୁ ୬ଜଣ ଅଧ୍ୟକ୍ଷ ଓ ୩୧ ୱାର୍ଡ଼ ପାଇଁ ୧୩୨ ଜଣ କାଉନ୍ସିଲର, ଜଳେଶ୍ୱର ପୌରାଞ୍ଚଳ ୫ଜଣ ଅଧ୍ୟକ୍ଷ ଓ ୧୭ ୱାର୍ଡ଼ ପାଇଁ ୭୫ ଜଣ କାଉନ୍ସିଲର, ସୋର ପୌରାଞ୍ଚଳରୁ ୬ଜଣ ଅଧ୍ୟକ୍ଷ ଓ ୧୯ ୱାର୍ଡ଼ ପାଇଁ ୮୫ ଜଣ କାଉନ୍ସିଲର, ନୀଳଗିରି ଏନ୍ଏସିରୁ ୫ଜଣ ଅଧ୍ୟକ୍ଷ ଓ ୧୩ ୱାର୍ଡ଼ ପାଇଁ ୪୪ଜଣ କାଉନ୍ସିଲର ଏବଂ ରେମୁଣା ଏନ୍ଏସିରୁ ୩ଜଣ ଅଧ୍ୟକ୍ଷଙ୍କ ସମେତ ୧୩ ୱାର୍ଡ଼ ପାଇଁ ୫୧ ଜଣ କାଉନ୍ସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ପୌର ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ସୂଚନା ଦେଇଛନ୍ତି ।

ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନରେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷ ପଦ ସମେତ ବିଭିନ୍ନ ୱାର୍ଡ଼ ପାଇଁ ମୋଟ ୧୦୨ ଜଣ ପ୍ରାର୍ଥୀ ଦାମାଙ୍କନପତ୍ର ଦାଖଲ କରିଛନ୍ତି । ତନ୍ମଧ୍ୟରୁ ୫ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୯୭ ଜଣ କାଉନସିଲର ପ୍ରାର୍ଥୀ ଥିବା ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୭ ଦିନରେ ଅଧ୍ୟକ୍ଷ ପଦ ପାଇଁ ୬ ଜଣ ଓ ୩୧ ଗୋଟି କାଉନସିଲର ପଦ ପାଇଁ ମୋଟ ୧୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । ତେବେ ଶେଷଦିନରେ ଆଜି ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରାର୍ଥୀମାନେ ବେଶ ଶୋଭାଯାତ୍ରାରେ ଆସିଥିବା ଲକ୍ଷ୍ୟ କରାଯାଇଛି । ଦଳୀୟ କର୍ମକର୍ତ୍ତା, କର୍ମୀ, ସହଯୋଗୀ ଓ ସମର୍ଥକଙ୍କ ଗହଣରେ ବାଜା ଓ ରୋଷଣୀ ମଧ୍ୟରେ ପ୍ରାର୍ଥୀମାନେ ସହର ପରିକ୍ରମା ସହ ପୌରପାଳିକା ପର୍ଯ୍ୟନ୍ତ ଆସିଥିଲେ । ଶେଷ ଦିନରେ ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ସବିତା ସାହୁ, ଭାଜପାରୁ ରଶ୍ମିରେଖା ଦେବ ଓ କଂଗ୍ରେସରୁ ପ୍ରଜ୍ଞାପାରମିତା ବିଶ୍ୱାଳ ନାମାଙ୍କନ ଦାଖଲ କରିଥିଲେ । ପ୍ରତ୍ୟେକ ପ୍ରାର୍ଥୀ ବିଜୟକୁ ନେଇ ଆଶାବାଦୀ ଥିବା ବେଳେ ନିର୍ବାଚିତ ହେଲେ ସହରବାସୀଙ୍କ ଯାବତୀୟ ସେବା ଯୋଗାଇବା ସାଙ୍ଗକୁ ସମସ୍ତ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି ।
ସୂଚନା ଯେ, ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ବୈଧ ପ୍ରାର୍ଥୀ ତାଲିକା, ୧୪ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ସହ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ ତାରିଖ ପୂର୍ବାହ୍ନ ୮ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ ବୋଲି ଜଣାପଡ଼ିଛି ।
