ବାଲେଶ୍ୱର : ଧର୍ମାନୁଷ୍ଠାନ ଖୋଲାଯିବା ନେଇ ଜିଲା ପ୍ରଶାସନର ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲାବାସୀଙ୍କ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲାଯିବା ସମ୍ପର୍କରେ ନିଷ୍ପତି ନେବା ପାଇଁ ସଦଭାବନା ସଭାଗୃହରେ ଜିଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ଯଥା ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଇତ୍ୟାଦିର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା । କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଗତ କିଛି ମାସ ହେଲା ଜିଲ୍ଲା ତଥା ରାଜ୍ୟରେ ବିଭିନ୍ନ କଟକଣା ଏବଂ ଲକଡାଉନ ଲାଗୁ ହୋଇଥିବା ବେଳେ ଏବେ ସଂକ୍ରମଣ ହ୍ରାସ ପାଉଥିବାରୁ ପର୍ଯ୍ୟାୟ କ୍ରମେ କଟକଣାକୁ କୋହଳ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଧର୍ମାନୁଷ୍ଠାନ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତି ନେବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଏ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଆସନ୍ତା ଅଗଷ୍ଟ ୨୨ (୨୨/୮/୨୦୨୧) ତାରିଖ ପରେ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଧର୍ମାନୁଷ୍ଠାନ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
