ବାଲେଶ୍ୱର : ଦିନ ଦ୍ୱିପ୍ରହରେ ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟାଙ୍କରୁ ଲୁଟ୍
ଲୁଟ୍ ପରେ ବ୍ୟାଙ୍କର ବାହାରପଟୁ ତାଲା ପକାଇ ଚମ୍ପଟ
ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ସ୍ଥିତ ବ୍ୟାଙ୍କ ଅଫ ବରୋଦାରୁ ଦିନ ଦ୍ୱିପ୍ରହରେ ଲୁଟ୍ । ଶୁକ୍ରବାର ଅପରାହ୍ନ ୨ଟା ସମୟରେ ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶି ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ଗ୍ରାହକମାନଙ୍କ ନିକଟରୁ ମଧ୍ୟ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିବା ଜଣାପଡ଼ିଛି ।

ଏକ ବୋଲେରୋ ଓ ବାଇକରେ ୮ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ଭୁଜାଲି ଧରି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କ ଅଧିକାରୀ, କର୍ମଚାରୀ ଏବଂ ଭିତରେ ଥିବା ଗ୍ରାହକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ହାତ ଉପରକୁ ଟେକି ରହିବା ପାଇଁ କହିଥିଲେ । ବ୍ୟାଙ୍କ ଭିତରେ ଥିବା ଗ୍ରାହକମାନଙ୍କୁ ଶୌଚାଳୟ ଭିତରେ ଲକ୍ କରିଦେଇଥିବା ବେଳେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଏକ ପାଖକୁ ନେଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ । ପରେ ବ୍ୟାଙ୍କ ମ୍ୟାନେଜରଙ୍କ ରୁମ୍କୁ ପୁରାଇ ଅଟକ ରଖିଥିଲେ । କ୍ୟାସିୟରଙ୍କୁ ଆକ୍ରମଣ କରି ଚାବି ନେଇ ଲକରରୁ ଟଙ୍କା ଲୁଟ୍ କରିଥିଲେ । ସମସ୍ତେ ବଙ୍ଗଳା ଭାଷାରେ କଥା ହେଉଥିଲେ । ଫଳରେ ଏହି ଡକାୟତିରେ ପଶ୍ଚିମବଙ୍ଗ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ମୁହଁରେ ମାସ୍କ ଲଗାଇଥିବା ଗ୍ରାହକମାନେ କହିଛନ୍ତି । କ୍ୟାସିୟରଙ୍କ ଠାରୁ ୮ଲକ୍ଷ ଓ ୨ଜଣ ଗ୍ରାହକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପ୍ରଥମେ ସିସିଟିଭିର କନେକସନ କାଟିବା ପରେ ମାରଣାସ୍ତ୍ର ସାହାଯ୍ୟରେ ଭୟଭୀତ କରାଇ ଟଙ୍କା ଲୁଟି ନେଇଥିଲେ ବୋଲି ଜଣେ ଗ୍ରାହକ କହିଛନ୍ତି । ଲୁଟ୍ ପରେ ବ୍ୟାଙ୍କର ବାହାର ପଟୁ ତାଲା ପକାଇ ଆଖି ପିଛୁଳାକେ ଦୁର୍ବୃତ୍ତମାନେ ବାଇକ ଓ ବୋଲେରୋ ଯୋଗେ ଫେରାର ହେବାରେ ସମର୍ଥ ହୋଇଥିଲେ । ବୋଲେରୋଟି ଜାତୀୟ ରାଜପଥ ଉପରେ ଛିଡ଼ା ହୋଇଥିଲା । ସେଠାରେ ଆଉ ୪/୫ଜଣ ସହଯୋଗୀ ଥିଲେ ବୋଲି ଜଣା ମହିଳା ଗ୍ରାହକ କହିଛନ୍ତି । ବ୍ୟାଙ୍କ ନିକଟକୁ ୨ଟି ବାଇକ୍ ଯୋଗେ ଦୁର୍ବୃତ୍ତମାନେ ଆସିଥିଲେ । ଖବରପାଇ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି, ଆଇଆଇସି ବାରିଣୀ ଦାସ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ପହଞ୍ôଚ ତଦନ୍ତ ଚଳାଇଛନ୍ତି ।
