ବାଲେଶ୍ୱର : ୨ଶହ ଟଙ୍କା ପାଇଁ ଗଲା ଜୀବନ, ହଷ୍ଟେଲ ଛାତରୁ ଡେଇଁ ନାବାଳିକା ଛାତ୍ରୀଙ୍କ ଆତ୍ମହତ୍ୟା
ବାଲେଶ୍ୱର : ବାଲେଶ୍ୱର ସହରର ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ଅଘଟଣ । ମାତ୍ର ୨ଶହ ଟଙ୍କା ଚୋରୀକୁ ନେଇ ହଷ୍ଟେଲ୍ର ସାଙ୍ଗଙ୍କ ଚାପ ଯୋଗୁଁ ଗଲା ନାବାଳିକା ଛାତ୍ରୀଙ୍କ ଜୀବନ । ଚାପରେ ବଶବର୍ତ୍ତୀ ହୋଇ ନାବାଳିକା ଛାତ୍ରୀ ଜଣକ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଅପରପକ୍ଷରେ ଛାତ୍ରୀ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଯେ, ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଣତାଳପଦା ଗ୍ରାମର ପ୍ରତାପ ବେହେରାଙ୍କ ୧୭ ବର୍ଷୀୟ ନାବାଳିକା ଝିଅ ଗତ ୨୦୨୧ରୁ ଉକ୍ତ କଲେଜରେ ବିଜ୍ଞାନ ଛାତ୍ରୀ ଭାବେ ପାଠ ପଢ଼ିଆସୁଥିଲା । ଗତ ୧୮ ତାରିଖରେ ହଷ୍ଟେଲରେ ଥିବା ରୁମ୍ମେଣ୍ଟଙ୍କ ଟଙ୍କା ଚୋରି ଘଟଣାକୁ ନେଇ ଛାତ୍ରୀ ଜଣକୁ ଦୋଷ ଦେଇଥିଲେ । ଏହି ଘଟଣାକୁ ନେଇ ଛାତ୍ରୀ ଜଣକ ରାତି ପ୍ରାୟ ୧୦ଟା ୪୦ମିନିଟ୍ ସମୟରେ ବାପାଙ୍କୁ କଲ୍ କରି ରୁମ୍ର ଟଙ୍କା ଚୋରି ବାବଦରେ କହିବା ସହ ୩ଜଣ ସାଙ୍ଗ ଓ ଦାୟିତ୍ୱରେ ଥିବା ମ୍ୟାଡାମ୍ ମୁଁ ଚୋରି କରୁଥିବାର କହିଥିଲା । ମୋତେ କାଲି ସକାଳେ ୨ଶହ ଟଙ୍କା ପଠାଅ, ମୁଁ ସେମାନଙ୍କୁ ଦେଇଦେବି ବୋଲି କହିଥିଲା । ଏହାପରେ ବୁଧବାର ମଧ୍ୟରାତ୍ରିରେ ଛାତ୍ରୀ ଜଣକ କ୍ଷତବିକ୍ଷତ ହୋଇ ଚେତାଶୂନ୍ୟ ଭାବେ ହଷ୍ଟେଲ୍ ବିଲ୍ଡିଂ ତଳେ ପଡ଼ିଥିବାର ଦେଖି ହଷ୍ଟେଲ ୱାର୍ଡ଼େନ୍ କର୍ମଚାରୀଙ୍କ ସହଯୋଗରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଇତିମଧ୍ୟରେ ଉକ୍ତ କଲେଜର ଶିକ୍ଷକ ରମେଶ ସାର୍ ରାତି ୧ଟା ସମୟରେ ବାପା ପ୍ରତାପଙ୍କୁ ଫୋନ୍ କରି ଆପଣଙ୍କର ଝିଅର ଦେହ ଖରାପ ଅଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆପଣ ଶୀଘ୍ର ଆସନ୍ତୁ ବୋଲି କହିଥିଲେ । ଖବର ପାଇବା ପରେ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ଛାତ୍ରୀର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସବିଶେଷ ଘଟଣା ଜାଣିବା ପରେ ଛାତ୍ରୀ ଜଣକ ବାପା ସଦର ଥାନାରେ ତାଙ୍କ ଝିଅକୁ କଲେଜ କର୍ତ୍ତୃପକ୍ଷ ହତ୍ୟା କରିଥିବାର ସନ୍ଦେହ କରି ଲିଖିତ ଅଭିଯୋଗ କରିଛନ୍ତି ।
ଏନେଇ କଲେଜ ପ୍ରିନ୍ସପାଲ ପ୍ରଭାତ କୁମାର ମିଶ୍ର କହନ୍ତି, କଲେଜର ଯୁକ୍ତ୨ ଦ୍ୱିତୀୟବର୍ଷର ଛାତ୍ରୀ ଜଣକ ରାତି ୯ଟା ପର୍ଯ୍ୟନ୍ତ ହଷ୍ଟେଲ୍ରେ ସ୍ୱାଭାବିକ ଚାଳିଚଳଣ ଥିଲା । ସେ ରହୁଥିବା ରୁମ୍ରେ କିଛି ଟଙ୍କା ଚୋରିକୁ ନେଇ ସାଙ୍ଗମାନଙ୍କ ସହିତ କିଛି ମତାନ୍ତର ଓ ବଚସା ହୋଇଥିଲା । ବଚସା ପରେ ୱାର୍ଡ଼େନ୍ ଆସି ସେମାନଙ୍କୁ ବୁଝାସୁଝା କରିବା ସହ କଲେଜରେ ଏନେଇ ଆଲୋଚନା କରାଯିବ ବୋଲି କହିଥିଲେ । ଏହାପରେ ଛାତ୍ରୀ ଜଣକ ତାଙ୍କ ବାପାଙ୍କ ସହିତ ମୋବାଇଲ ଯୋଗେ କଥା ହୋଇଥିଲେ । ପରେ ଅନ୍ୟ ଛାତ୍ରୀମାନେ ତାଙ୍କୁ ପଇସା ନେଇଥିବାର ମାନିବା ପାଇଁ କହିଥିଲେ । ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ରାତିରେ ଯାଇ ସିଢ଼ି ପାହାଚରେ ବସିଥିଲେ । ଅନ୍ୟମାନେ ତାଙ୍କୁ ବାରମ୍ବାର ତଦାରଖ କରୁ କରୁ ହଠାତ୍ କେତେବେଳେ ଛାତ ଉପରୁ ତଳକୁ ଡିଆଁ ମାରିଦେଇଛି । ସଙ୍ଗେ ସଙ୍ଗେ କଲେଜ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରିବାରକୁ ଖବର ଦିଆଯାଇ ଛାତ୍ରୀ ଜଣକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର କହିଥିଲେ ।
