‘ମୋ ସ୍କୁଲ ଅଭିଯାନ’ରେ କ୍ରମାଗତ ନବମ ଥର ପାଇଁ ରାଜ୍ୟରେ ବାଲେଶ୍ୱର ପ୍ରଥମ
ବାଲେଶ୍ୱର : ‘ମୋ ସ୍କୁଲ ଅଭିଯାନ’ର ସଫଳ ରୂପାୟନ ନିମନ୍ତେ ନିଷ୍ଠାପର ଉଦ୍ୟମ କରି ଅର୍ଥ ସଂଗ୍ରହ କ୍ଷେତ୍ରରେ ସାରା ରାଜ୍ୟରେ କ୍ରମାଗତ ଭାବେ ନବମ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି । ଜିଲାର ମୋଟ୍ ୧୨ଟି ବ୍ଲକର ୨୦୫ଟି ବିଦ୍ୟାଳୟରୁ ସର୍ବମୋଟ୍ ୧କୋଟି ୬୧ଲକ୍ଷ ୮୮ହଜାର ୨୭୯ ଟଙ୍କା ସଂଗ୍ରହ କରି ବାଲେଶ୍ୱର ପୁନର୍ବାର ଅଗ୍ରଣୀ ହୋଇପାରିଛି । ଜିଲା ପ୍ରକଳ୍ପ ଅଧିକାରୀ, ସମଗ୍ର ଶିକ୍ଷା, ବାଲେଶ୍ୱରଙ୍କ ବୈଠକ ଗୃହରେ ଅନୁଷ୍ଠିତ ୨୮ତମ ଇସି ବୈଠକରେ ଉପରୋକ୍ତ ଅର୍ଥରାଶି ସଂଗୃହୀତ ହୋଇଥିବାର ସୂଚନା ପ୍ରଦାନ କରାଯାଇଥିଲା ।
ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ହୋଇଥିଲା । ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ସମସ୍ତ ପ୍ରକଳ୍ପଗୁଡ଼ିକୁ ଉପସ୍ଥାପିତ କରିବା ସହ ଆଗାମୀ ଦିନମାନଙ୍କରେ ଏଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଆଶା ବ୍ୟକ୍ତ କରିଥିଲେ । ଉପସ୍ଥାପିତ ସମସ୍ତ ପ୍ରକଳ୍ପଗୁଡ଼ି ଇସି ବୈଠକର ସମସ୍ତ ସଦସ୍ୟଙ୍କ ଦ୍ୱାରା ହୋଇଥିଲା । ଜିଲାର ୩ଜଣ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ପ୍ରାଚୀ ତନୟା ଗିରି, ପବିତ୍ର ମୋହନ ବାରିକ, ଜିଲା ବିଜ୍ଞାନ ପରିଦର୍ଶକ କୃଷ୍ଣମୋହନ ସିଂହ, ସମସ୍ତ ବିଇଓ, ଏବିଇଓ, ସିଆର୍ସିସି, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମୋ ସ୍କୁଲ ଅଭିଯାନର ଜିଲା ଓ ବ୍ଲକସ୍ତରୀୟ ଟିମ୍ ସଦସ୍ୟ, ସମସ୍ତ ପୁରାତନ ଛାତ୍ର ସଂସଦର ସଦସ୍ୟ ଏବଂ ଅନ୍ୟ ସମସ୍ତ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଯୋଗୁଁ ବାଲେଶ୍ୱର ଏହି ସଫଳତା ପାଇ ଚାଲିଛି ବୋଲି ସମସ୍ତ ଜିଲାସ୍ତରୀୟ କମିଟିର ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ମୋଟ୍ ୬୯ଲକ୍ଷ ୬୨ହଜାର ୮୭୧ଟଙ୍କା ଜମା କରି ଜିଲାସ୍ତରରେ ଭୋଗରାଇ ବ୍ଲକ ପୁଣିଥରେ ପ୍ରଥମ ହୋଇଥିବାର ବ୍ଲକ ସଦସ୍ୟମାନଙ୍କୁ ଅଭିନନ୍ଦନ ଓ ପ୍ରଶଂସା କରାଯାଇଛି ।
