ଦୁବଲାଗଡ଼ି ବେଳାଭୂମି ମହୋତ୍ସବ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଦୁବଲାଗଡ଼ି ବେଳାଭୂମିରେ ପ୍ରଥମ ବାର୍ଷିକ “ଦୁବଲାଗଡ଼ି ବେଳାଭୂମି ମହୋତ୍ସବ’ ଉଦ୍ଘାଟନ ହୋଇଯାଇଛି । ଦୁବଲାଗଡ଼ି ବିଚ କ୍ୟାମ୍ପ ଓନର ଏସୋସିଏସନ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଉଦ୍ଘାଟକ ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ କେଶୁଦାସ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରି ମହୋତ୍ସବ ମାଧ୍ୟମରେ କଳା, ସଂସ୍କୃତି, ସୁସମ୍ପର୍କର ବିକାଶ ହେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।
ବିଚ୍ କ୍ୟାମ୍ପ ଏସୋସିଏସନର ସଭାପତି ରାଜୀବ ଲୋଚନ ଦାସ ସଭାପତିତ୍ୱ କରିଥିଲେ । ଆମ ଦୁନିଆ ଅନୁଷ୍ଠାନର ସଭାପତି ଗୋବିନ୍ଦ ପ୍ରସାଦ ଦାସ ମଞ୍ଚ ପରିଚାଳନା କରିଥିଲେ । ବାଲେଶ୍ୱରର ସୁନାମ ଧନ୍ୟ କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରି ପର୍ଯ୍ୟଟକ ଓ ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ଦୁବଲାଗଡ଼ି ଅଞ୍ଚଳର କୁନିକୁନି ପ୍ରତିଭା ଧାରି ଡ୍ୟାନସରମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଦିନ ତମାମ୍ ସ୍ଥାନୀୟ ଆଦିବାସୀମାନଙ୍କ ଆଦିବାସୀ ନୃତ୍ୟର ତାଳେ ତାଳେ ପର୍ଯ୍ୟଟନମାନେ ଅଣ୍ଟାକୁ ଅଣ୍ଟା ଧରି ନୃତ୍ୟ କରି ନୂତନବର୍ଷକୁ ଉପଭୋଗ କରିଥିଲେ । ଉଦ୍ଯାପନୀ ସଭାରେ ଦୁବଲାଗଡ଼ି ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରବୀର କୁମାର ସାହୁ, କୃଷକସାଥିର ମୁଖ୍ୟ ଜୟଦେବ ସାହୁ, ସମାଜସେବୀ ରିଣ୍ଟୁ ମାନ୍ନା, ମହେଶ୍ୱର ମାନ୍ନା, ବିଚ କ୍ୟାମ୍ପ ଓନର ଏସୋସିଏସନ ସଭାପତି ରାଜିବ ଲୋଚନ ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ବିଶିଷ୍ଟ ବ୍ୟକ୍ତି ଶ୍ରୀକୃଷ୍ଣ ଗିରି, ଗୋପାଳ ମାନବ, ସୁଦର୍ଶନ ମାଇତି, ପ୍ରଦୀପ ପାତ୍ର, ପଞ୍ଚାନନ ମାନ୍ନା ଯୋଗଦେଇ ଆଗାମୀ ଦିନରେ ଏହାକୁ ଦୁବଲାଗଡ଼ିର ସର୍ବଶ୍ରେଷ୍ଠ ମେଳାଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇଥିଲେ । ଆମଦୁନିଆର ସଭାପତି ଗୋବିନ୍ଦ ପ୍ରସାଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
