‘ମୋ ସ୍କୁଲ ଅଭିଯାନ’ରେ କ୍ରମାଗତ ତ୍ରୟୋଦଶଥର ପାଇଁ ବାଲେଶ୍ୱର ଜିଲା ଓଡ଼ିଶାର ଶୀର୍ଷରେ
ବାଲେଶ୍ୱର : ‘ମୋ ସ୍କୁଲ ଅଭିଯାନ’ରେ କ୍ରମାଗତ ନବମ ଥର ପାଇଁ ରାଜ୍ୟରେ ବାଲେଶ୍ୱର ଜିଲା ପ୍ରଥମ । ବାଲେଶ୍ୱର ଶିକ୍ଷା ଜିଲାର ଜିଲାଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ‘ମୋ ସ୍କୁଲ’ ଜିଲା ସଂଯୋଜକ ଡ. ସନ୍ଦୀପ କୁମାର ଖଟୁଆ ଏବଂ ‘ମୋ ସ୍କୁଲ’ ଜିଲାସ୍ତରୀୟ କମିଟିର ସମସ୍ତ ସଦସ୍ୟସଦସ୍ୟାଙ୍କ ସଂଯୋଜନା କ୍ରମେ ସମଗ୍ର ଜିଲା ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକର ଆଲୁମିନି ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ସର୍ବମୋଟ୍ ଅର୍ଥରାଶି ୨କୋଟି ୯୪ଲକ୍ଷ ୫ହଜାର ୪୦ଟଙ୍କା ସଂଗ୍ରହ କରାଯାଇଛି ।
ଗତ ଫେବୃଆରୀ ୨୮ ତାରିଖରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜିଲା କାର୍ଯ୍ୟକାରିଣୀ ବୈଠକରେ ୨୭୦ଟି ବିଦ୍ୟାଳୟରୁ ୪୮୦ଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ଉକ୍ତ ବିଦ୍ୟାଳୟଗୁଡ଼ିକ ସହିତ ୨୨୭୯ ଜଣ ବଦାନ୍ୟ ବ୍ୟକ୍ତି ତଥା ୧୬ହଜାର ୬୫୮ ଆଲୁମିନି ଯୋଡ଼ି ହୋଇଛନ୍ତି । ବୁଧବାର ୩୨ତମ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦରେ ସର୍ବମୋଟ୍ ୪୮୦ଟି ପ୍ରକଳ୍ପ ଅନୁମୋଦିତ ହୋଇ ରାଜ୍ୟସରକାରଙ୍କ ଠାରୁ ମ୍ୟାଚିଙ୍ଗ୍ ଗ୍ରାଣ୍ଟ ବାବଦରେ ଅର୍ଥରାଶି ୫କୋଟି ୮୮ଲକ୍ଷ ୧୦ହଜାର ୮୦ ଟଙ୍କା ଆସିବାର ଲକ୍ଷ୍ୟ ସ୍ଥିରୀକୃତ ହୋଇଛି । କ୍ରମାଗତ ଭାବେ ବିପୁଳ ଅର୍ଥ ଯୋଗାଡ଼ କରି ସମଗ୍ର ରାଜ୍ୟରେ ବାଲେଶ୍ୱର ଜିଲା ତ୍ରୟୋଦଶ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି । ଭୋଗରାଇ ବ୍ଲକ ସର୍ବାଧିକ ଅର୍ଥରାଶି ୧କୋଟି ୭ଲକ୍ଷ ୩୮ହଜାର ୩ଶହ ୧୦ଟଙ୍କା ଯୋଗାଡ଼ କରିପାରିଛି । ଏହି ସଫଳତାର ସମସ୍ତ ଶ୍ରେୟ ଭୋଗରାଇ ବିଇଓ ଭଗିରଥ ଗିରିଙ୍କୁ ଏବଂ ତାଙ୍କ ଟିମ୍ର ସମସ୍ତ ସଦସ୍ୟଙ୍କୁ ଦିଆଯାଇଛି । ଜିଲାସ୍ତରରେ ସଫଳତା ନିମନ୍ତେ ଜିଲାଶିକ୍ଷାଧିକାରୀ ଶ୍ରୀ ସୁତାର ‘ମୋ ସ୍କୁଲ’ର ସଂଯୋଜକ ଡ. ଖଟୁଆ ତଥା ତାଙ୍କ ଟିମ୍ର ସଦସ୍ୟ ନରେନ୍ଦ୍ର ଅଗସ୍ତି, ଶାଶ୍ୱତ ମହାପାତ୍ର, ପ୍ରଭାତ ମଣ୍ଡଳ, ଶିବଶଙ୍କର ମିଶ୍ର, କମଳଲୋଚନ ବିଶ୍ୱାଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଶିକ୍ଷାକ୍ଷେତ୍ରରେ ବାଲେଶ୍ୱର ଜିଲାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ନିମନ୍ତେ ପ୍ରୟାସକୁ ପ୍ରଶଂସା କରାଯାଇଛି । ଜିଲାର ସମସ୍ତ ବିଇଓ, ଏବିଇଓ, ପ୍ରଧାନଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ, ସିଆର୍ସିସିଙ୍କୁ ଜିଲାଶିକ୍ଷାଧିକାରୀ ଶ୍ରୀ ସୁତାର ଧନ୍ୟବାଦ ଜ୍ଞାପନ କରିଛନ୍ତି । ତତ୍ସହିତ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଶାପ୍ରକଟ କରିଛନ୍ତି ।
