ମୋ ସ୍କୁଲ୍ ଅଭିଯାନର ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଶିକ୍ଷା ଜିଲାର ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୁତାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୋ ସ୍କୁଲ୍ ଅଭିଯାନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର, ଜିଲ୍ଲା ସଂଯୋଜକ ଡ. ସନ୍ଦୀପ କୁମାର ଖଟୁଆ, କମିଟିର ସମସ୍ତ ସଦସ୍ୟ ଓ ସଂଯୋଜିକା ଏଥିରେ ଯୋଗ ଦେଇଥିଲେ । ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗରେ ବିଦ୍ୟାଳୟ ଗୁଡ଼ିକରେ ସମସ୍ତ ଆର୍ଥିକ ସହଯୋଗ ଯୋଗୁଁ ମୋଟ ୫,୪୮,୫୯,୦୫୩ ଟଙ୍କା ଅଦ୍ୟାବଧି ସଂଗୃହିତ ହୋଇଛି ।
ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୧୬ଟି ବିଦ୍ୟାଳୟରୁ ୫୮୩ ପ୍ରକଳ୍ପ ଅନୁମୋଦିତ ହୋଇଛି । ଉକ୍ତ ପାଣ୍ଠି ଯୋଗାଡ଼ କରିବାରେ ୩୧୬ଟି ବିଦ୍ୟାଳୟରୁ ୧୭,୪୦୫ଟି ଆଲୁମିନି ଏବଂ ୨୯,୦୨୯ଜଣ ବଦାନ୍ୟ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ଜଣାପଡ଼ିଛି । ଆଗାମୀ ୧୧ ତାରିଖରେ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବାଲେଶ୍ୱର ଜିଲ୍ଲାର ମୋଟ ୫୮୩ଟି ପ୍ରକଳ୍ପ ଅନୁମୋଦନ ହୋଇଛି । କ୍ରମାଗତ ଭାବେ ବିପୁଳ ଅର୍ଥରାଶି ଯୋଗାଡ଼ କରି ରାଜ୍ୟରେ ବାଲେଶ୍ୱର ଜିଲା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଭୋଗରାଇ ବ୍ଲକ ସର୍ବାଧିକ ୧୭୯୨୪୫୮୦ଟଙ୍କା ଯୋଗାଡ଼ କରି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛି । ମୋ ସ୍କୁଲର ଏଭଳି ସଫଳତା ପାଇଁ ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଜିଲ୍ଲା ସଂଯୋଜକ ଡ. ସନ୍ଦୀପ କୁମାର ଖଟୁଆ ଓ ସଦସ୍ୟ ନରେନ୍ଦ୍ର କୁମାର ଅଗସ୍ତି, ଶାଶ୍ୱତ ମହାପାତ୍ର, କୋମଲ ଚରଣ ବିଶ୍ୱାଳ, ଶିବଶଙ୍କର ମିଶ୍ର, ପ୍ରଭାତ କୁମାର ମଣ୍ଡଳଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି । ଜିଲାର ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ, ସିଆସିସି, ବିଆରସିସି, ବିଇଓ, ଏବିଇଓଙ୍କୁ ମଧ୍ୟ ଶ୍ରୀ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ । ଖୁବ୍ ଶୀଘ୍ର ଜିଲାର ସମସ୍ତ ବିଦ୍ୟାଳୟ ଏହି ଅଭିଯାନରେ ସାମିଲ ହେବାକୁ ଜିଲାପାଳ ଶିନ୍ଦେ ଆଶା ପ୍ରକାଶ କରିଛନ୍ତି । ପାଇଭ୍-ଟି ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟରେ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଖୁବ୍ ଶୀଘ୍ର ରୂପାନ୍ତରୀକରଣ ହୋଇ ସୌକ୍ଷିକ ପରିବେଶକୁ ମନୋରମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
