ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ମମିତାଙ୍କ ପାଇଁ ନ୍ୟାୟ ଦାବିରେ ହରତାଳ
ବାଲେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଅବିଳମ୍ବେ ନ୍ୟାୟ ପ୍ରଦାନ, ମମିତାଙ୍କ ହତ୍ୟାକାଣ୍ଡ ପଛରେ ରହିଥିବା ମାଷ୍ଟରମାଇଣ୍ଡ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର, ତାଙ୍କୁ ତୁରନ୍ତ ଗିରଫ କରିବା ଏବଂ ମମିତାଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଂଟିଆ ହରତାଳ ଶୁକ୍ରବାର ପୂର୍ବାହ୍ନରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପିସିସି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ଜିଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରିଙ୍କ ତତ୍ୱାବଧାନରେ ଏକ ହରତାଳ କାର୍ଯ୍ୟକ୍ରମ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଥିଲା ।
ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ମିଶନ୍ ମଡ଼ିଆରୁ କଂଗ୍ରେସ ଦଳର ଏକ ପଟୁଆର ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ସେଠାରେ ଉପସ୍ଥିତ ଦଳୀୟ ନେତାମାନେ ନବୀନ ପଟ୍ଟନାୟକ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପୋଲିସ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେବାସହ କଂଗ୍ରେସ ଦଳ ସପକ୍ଷରେ ନାରାବାଜୀ କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ଦଳ ପକ୍ଷରୁ ଆହୂତ ‘ଓଡ଼ିଶା ବନ୍ଦ’କୁ ସ୍ଥଗିତ ରଖାଯାଇ ହରତାଳ କରାଯାଇଥିବା କଥା ଶ୍ରୀ ଗିରି ଓ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ । ତେବେ ଅତୀତରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଉଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଆହୂତ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁଁ ନବୀନ ସରକାର ଭୟଭୀତ ହୋଇ ଜଣେ ବ୍ୟବସାୟୀଙ୍କୁ ଲଗାଇ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ହାଇକୋର୍ଟରେ ରୁଜୁ କରିଥିବା ବକ୍ତାମାନେ କହିଥିଲେ । ଦଳୀୟ ନେତ୍ରୀ ମମତା କୁଣ୍ଡୁ, ଅର୍ଚ୍ଚନା ନନ୍ଦୀ, ବାସନ୍ତୀ ନାୟକ, ଗୋପୀନାଥ ପାଢ଼ୀ, ଅଶୋକ ଆଢ଼୍ୟ (ସମ୍ଭୁ), ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ରଂଚନ ଦାସ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଏଆଇୟୁଡବ୍ଲ୍ୟୁସି ସଭାପତି ବିକାଶ ଦାସ ପ୍ରମୁଖ ବହୁ ନେତା, ନେତ୍ରୀ, ଛାତ୍ରକଂଗ୍ରେସ, ଯୁବ କଂଗ୍ରେସ ଆଦି ଛାମୁଆ ସଂଗଠନର କର୍ମକର୍ତା, ପଦାଧିକାରୀ ଓ କର୍ମୀମାନେ ସାମିଲ ହୋଇଥିଲେ ।
