ବାଲେଶ୍ୱର ଜିଲା ଶିଶୁ ମଙ୍ଗଳ କମିଟିର ହସ୍ତକ୍ଷେପ; ଘରକୁ ଫେରିଲେ ଦୁଇ ନାବାଳକ
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ପଣସାପଡ଼ା ଗ୍ରାମର ଗୌରମୋହନ ପାତ୍ର ଓ ତାଙ୍କ ସ୍ତ୍ରୀ ରଚନା ପାତ୍ରଙ୍କର ଗୋଟିଏ ୧୦ବର୍ଷର ନାବାଳିକା ଓ ଗୋଟିଏ ୬ ବର୍ଷ ନାବାଳକ ପୁଅ । ଦମ୍ପତ୍ତିଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ପାଇଁ ସ୍ତ୍ରୀ ତାଙ୍କର ପିଲାମାନଙ୍କୁ ଛାଡ଼ି ବାଲିଆପାଳ ଅଞ୍ଚଳରେ ତାଙ୍କ ବାପ ଘରେ ରହୁଥିଲେ । ଗତ ୯ ତାରିଖ ଦିନ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଘରକୁ ଆସି ପିଲା ଦ୍ୱୟଙ୍କୁ ନିଜ ହେପାଜାତରେ ନେବା ପାଇଁ ଚାହିଁବାରୁ ତାଙ୍କ ସ୍ୱାମୀ ରାଜି ହୋଇ ନଥିଲେ । ଏଥିପାଇଁ ଦମ୍ପତ୍ତଙ୍କ ମଧ୍ୟରେ ଝଗଡ଼ା ଲାଗି ବସ୍ତା ଥାନାକୁ ଯାଇଥିଲେ । ବସ୍ତା ଥାନା ଅଧିକାରୀ ଉକ୍ତ ଘଟଣାର ହସ୍ତକ୍ଷେପ କରି ପିଲା ଦ୍ୱୟଙ୍କୁ ଅବହେଳିତ ଅବସ୍ଥାରେ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ସେହିଦିନ ଉପସ୍ଥାପନ କରିଥିଲେ ।
ଶିଶୁ ମଙ୍ଗଳ କମିଟି ପିଲାମାନଙ୍କର ଅନ୍ତରୀଣ ସୁରକ୍ଷା ସକାଶେ ପୁଅ ପିଲାଟିକୁ ଉତ୍କଳ ବାଳାଶ୍ରମ ଏବଂ ଝିଅ ପିଲାଟିକୁ ୱାନ ଷ୍ଟପ ସେଣ୍ଟର ବାଲେଶ୍ୱରରେ ରଖିଥିଲେ । ବୁଧବାର ଶିଶୁମଙ୍ଗଳ କମିଟି ଉଭୟ ଦମ୍ପତ୍ତିଙ୍କୁ ଡାକି ବିଭିନ୍ନ ଦିଗରୁ ବିଚାର ବିମର୍ସ କରିବା ଫଳରେ ଉକ୍ତ ଦମ୍ପତ୍ତି ଏକାଠି ରହି ପିଲାମାନଙ୍କର ଯତ୍ନ, ସୁରକ୍ଷା ଓ ଶିକ୍ଷା ନିଜ ଦାୟିତ୍ୱରେ ନେବା ପାଇଁ ଚାହିଁବାରୁ ଶିଶୁ ମଙ୍ଗଳ କମିଟି ସେମାନଙ୍କର ପିଲାମାନଙ୍କୁ ହସ୍ତାନ୍ତର କରିବା ଦ୍ୱାରା ସେମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିବାର ପରିଲକ୍ଷିତ ହୋଇଥିଲା । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥୀ ବାରିକ, ସଦସ୍ୟା ଗୌରୀରାଣୀ ଉପାଧ୍ୟାୟ, ସଦସ୍ୟ ପଦ୍ମଲୋଚନ ଦତ୍ତ, ଆଶିଷ ଘୋଷ ଓ ସଦସ୍ୟ ଗଣେଶ୍ୱର ରାଉତଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସାଧାରଣରେ ଆଲୋଚନା ହେଉଛି ।
