ବାଲେଶ୍ୱର : ୬ ଘଣ୍ଟିଆ ଓଡ଼ିଶା ବନ୍ଦ ସଫଳ ପାଇଁ ସହଯୋଗ ଲୋଡ଼ିଲା କଂଗ୍ରେସ
ବାଲେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଗାମୀ ୧୨ ତାରିଖ ଶୁକ୍ରବାର ୬ ଘଂଟା ପାଇଁ ଓଡ଼ଶା ବନ୍ଦ ଡାକରା ଦେଇଛି । ଆଗାମୀ ଶୁକ୍ରବାର ସକାଳ ୬ଟା ୧୨ ପର୍ଯ୍ୟନ୍ତ ଦଳ ପକ୍ଷରୁ ଚକ, ଅଖ, ଦୋକାନ, ବଜାର ବନ୍ଦ କରିବାକୁ ଦଳ ନିଷ୍ପତି ନେଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ (ରାଜୀବ ଭବନ) ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସଞ୍ଜୀବ ଗିରି ଏବଂ ଦଳର ଅଫି୍ସ ସମ୍ପାଦକ ପଶୁପତି ଉପାଧ୍ୟାୟ କହିଥିଲେ କି, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଜଡ଼ିତ ଥିବା ଯୋଗୁଁ ପୋଲିସ୍ ଗୃହ ବିଭାଗର ମୁଖ୍ୟ ବୋଲାଉଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଆଉ ବେଶୀଦିନ ଧ୍ରୂତରାଷ୍ଟ୍ରର ଅଭିନୟ ନ କରି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଆବଶ୍ୟକ । ଏହା ସହିତ ତାଙ୍କୁ ଗିରଫ କରାଯିବା ଦରକାର । ପୋଲିସ୍ ଯେକୌଣସି ଅପରାଧୀକୁ ଗିରଫ କରିବା ମାତ୍ରେ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ସଫଳତାର କାହାଣୀ ଗଣମାଧ୍ୟର ସମ୍ମୁଖରେ ବଖାଣି ଆସୁଥିବା ବେଳେ କ’ଣ ପାଇଁ ଏହି ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ସଫଳତାର କାହାଣୀ ବର୍ଣ୍ଣନା କରିବାକୁ କୁଣ୍ଠାବୋଧ କରୁଛନ୍ତି ତାହା ବୁଝିହେଉ ନାହିଁ । ତେଣୁ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ବରଖାସ୍ତ କରନ୍ତୁ । ଯେ ପର୍ଯ୍ୟନ୍ତ ମନ୍ତ୍ରୀପଦରୁ ଦିବ୍ୟଶଙ୍କର ବିଦା ନହେଲେ ସେତେ ପେର୍ଯ୍ୟନ୍ତ କଂଗ୍ରେସ ଦଳ ଜିଲ୍ଲାବ୍ୟାପୀ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ଗିରି କହିଛନ୍ତି । ବନ୍ଦ ପାଳନ ସମୟରେ ସାଧାରଣ ଜନତା, ବ୍ୟବସାୟୀ, ଶିଳ୍ପାନୁଷ୍ଠାନର ମାଲିକ ଓ ଶ୍ରମିକ/ କର୍ମଚାରୀମାନେ ଦଳକୁ ସହଯୋଗ କରିବାକୁ ଶ୍ରୀ ଗିରି ଅନୁରୋଧ କରିଛନ୍ତି । ଏହା ସହିତ ମମିତାଙ୍କ ପରିବାରକୁ ୧ କୋଟି ଟଙ୍କା ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ସେ ଦଳ ପକ୍ଷରୁ ଦାବି କରିଛନ୍ତି ।
