ଗେରୁଆମୟ ବାଲେଶ୍ୱର : ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର
ବାଲେଶ୍ୱର : ଶ୍ରୀରାମ ନବମୀ ହେଉଛି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମ ତିଥି । ଏହି ଅବସରରେ ହଜାର ହଜାର ରାମଭକ୍ତଙ୍କ ଗହଣରେ ବାଲେଶ୍ୱର ସହରରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ପରମିଟ୍ ପଡ଼ିଆରୁ ବାହାରି ସହର ପରିକ୍ରମା କରିଥିଲା । ଜୟଶ୍ରୀରାମ ଧ୍ୱନୀ ଏବଂ ବାଦ୍ୟ-ନୃତ୍ୟର ତାଳେ ତାଳେ ସମଗ୍ର ବାଲେଶ୍ୱର ସହର ରାମମୟ ହୋଇଉଠିଥିଲା ।
ରବିବାର ଦିନ ସକାଳୁ ସକାଳୁ ବାଲେଶ୍ୱର ସହର ହୋଇଉଠିଥିଲା ଚଳଚଞ୍ଚଳ । ଶଙ୍ଖଧ୍ୱନି, ମୃଦଙ୍ଗ, ଢୋଲ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଫାଟି ପଡୁଥିଲା ସହର । ପିଲାଠାରୁ ବୁଢ଼ା ଯାଏଁ ସମସ୍ତଙ୍କ ଭିତରେ ଦେଖିବାକୁ ମିଳିଥିଲା ଅପୁର୍ବ ଉନ୍ମାଦନା । ଜୟଶ୍ରୀରାମ ଧ୍ୱନିରେ କମ୍ପି ଉଠିଥିଲା ସାରା ସହର । ପବିତ୍ର ରାମନବମୀକୁ ବାଲେଶ୍ୱରର ସମସ୍ତ ହିନ୍ଦୁ ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ । ସହରର ପରମିଟ୍ ପଡ଼ିଆରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପୂଜାପାଠ ଓ ସାମୂହିକ ହନୁମାନ ଚାଳିଶା ପାଠ ପରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା । ଏହି ଶୋଭାଯାତ୍ରା ସହରର ସିନେମା ଛକ, ଟାଉନ୍ ଥାନା, ଗୋଳାପୋଖରୀ ଛକ, ଦାମୋଦରପୁର, ବାରବାଟୀ, ମଣ୍ଡଳବଜାର, ସୁଏଲପୁର, ଗୋପାଳଗାଁ, ଚିଡ଼ିଆପୋଲ, ଫାଣ୍ଡି ଛକ, ଷ୍ଟେସନ ଛକ, ଏଡ଼ିଏମ୍ ଛକ ଅତିକ୍ରମ କରି ପୁନଃର୍ବାର ପରମିଟ୍ ପଡ଼ିଆ ଠାରେ ପହଞ୍ଚିଥିଲା । ବାଲେଶ୍ୱର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ହଜାର ରାମଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଶ୍ରୀରାମ ଚେତନା ସହ ରାଷ୍ଟ୍ରୀୟ ଭକ୍ତି ସେମାନଙ୍କୁ ଏହି ଶୋଭାଯାତ୍ରାକୁ ଟାଣି ଆଣିଥିଲା । ଶୋଭଯାତ୍ରାରେ ଭଦ୍ରକ, ବୈଶିଙ୍ଗା, ଢେଙ୍କାନାଳ, ପୁରୀ, ବ୍ରହ୍ମପୁର ଆଦି ଅଞ୍ଚଳରୁ ପ୍ରଖ୍ୟାତ ବାଦ୍ୟଦଳ ସମେତ ବାଲେଶ୍ୱର କୀର୍ତ୍ତନ ଦଳମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ସହର ରାସ୍ତାରେ ଏହି ଶୋଭାଯାତ୍ରା ଯାଉଥିବା ବେଳେ ବିଭିନ୍ନ ପାରମ୍ପାରିକ ଦଳ ବାଦ୍ୟ-ନୃତ୍ୟ ପ୍ରଦର୍ଶନ କରିଥିଲେ । ଛୋଟ ଛୋଟ ପିଲାମାନେ ରାମ ଦରବାର ବେଶରେ ସଜ୍ଜିତ ହୋଇ ମେଢ଼ରେ ଯାଉଥିବା ବେଳେ ବିଭିନ୍ନ ବେଶ ପୋଷାକରେ ଯୁବକମାନେ ଖେଳ ପ୍ରଦର୍ଶନ କରିଥିଲେ । ରାମନାମ ଉଚ୍ଚାରଣ ସାଙ୍ଗକୁ ଘଣ୍ଟଘଣ୍ଟା ମୃଦଙ୍ଗ, ଢୋଲ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସହରର ରାସ୍ତାଘାଟ । ଏହି ଅପୁର୍ବ ଶୋଭାଯାତ୍ରାରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ଭାଜପା ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ କୁମାର ଦତ୍ତ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଯୁବ ନେତା ବିକ୍ରମ ପଣ୍ଡା, ବିଭୁପଦ ଦାସ ପ୍ରମୁଖ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଭାଇଚାରାର ସହରରେ ବାଲେଶ୍ୱରରେ ଶ୍ରୀରାମନବମୀ ଉତ୍ସବକୁ ଧୁମ୍ଧାମ୍ରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନେତାମାନେ ଆହ୍ୱାନ ଦେଇଥିଲେ । ତେବେ ଶୋଭାଯାତ୍ରାରେ ଯାଉଥିବା ଆବାଳ ବୃଦ୍ଧ ବନିତାଙ୍କ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାସ୍ତାର ଛକଛକ ମାନଙ୍କରେ ଜଳଯୋଗ ବ୍ୟବସ୍ଥା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ପଦଯାତ୍ରାରେ ସାମିଲ ହୋଇଥିବା ରାମଭକ୍ତଙ୍କ ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ଥଣ୍ଡାପାନୀୟର ବ୍ୟବସ୍ଥା କରାଯାଇଥିଲା । ଗ୍ରୀଷ୍ମ ଉତ୍ତାପ ସତ୍ତ୍ୱେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଲୋକଙ୍କ ଉପର ପାଣି ସିଞ୍ଚନ କରାଯାଇଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ବିଭିନ୍ନ ଥାନାର ଅଧିକାରୀମାନେ ଏକାଧିକ ମୋବାଇଲ ଗାଡ଼ି ବ୍ୟବହାର କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।
