ବାଲେଶ୍ୱରରେ ‘ବିଶ୍ୱନାଟ୍ୟ ଦିବସ’ ପାଳନ : ନାଟକ ‘ଭଲ ମଣିଷ’ ପରିବେଶିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ରବିବାର ଅଗ୍ରଣୀ ନାଟ୍ୟସଂସ୍ଥା ‘ଶୋଭା’ ନାଟ୍ୟାନୁଷ୍ଠାନ ପକ୍ଷରୁ ବିଶ୍ୱନାଟ୍ୟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ନାଟକ ‘ଭଲ ମଣିଷ’ ପରିବେଶିତ ହୋଇଥିଲା । ଏକ ବସ୍ତୁବାଦୀ ସମାଜରେ ଭଲ ମଣିଷଟିଏ ଖୋଜି ବାହାର କରିବା କଷ୍ଟସାଧ୍ୟ ବ୍ୟାପାର । ଯାହାକୁ ଆମେ ଭଲ ମଣିଷ ବୋଲି କହୁ ତା’ର ଜୀବନ ଯେ କେତେ ଦୁର୍ବିସହ ତାହା ଆମର ଚିନ୍ତାର ବାହାରେ । ଆମେ ବିଭିନ୍ନ ଉପାୟରେ ସେହି ଭଲ ମଣିଷକୁ ଏତେ ଅତ୍ୟାଚାର ଓ ଶୋଷଣ କରିଥାଉ ଯେ, ସେହି ଭଲ ମଣିଷଟି ସମାଜରେ ନିଜକୁ ଅସହାୟ ମନେକରେ । ପାରିବାରିକ ଜଞ୍ଜାଳ ବିଷୟରେ ନିଜକୁ ବିଷାୟିତ କରି ପାଗଳ ହୋଇଯାଏ । ଏହିଭଳି ଏକ ପାରିବାରିକ କାହାଣୀକୁ ନେଇ ‘ଭଲ ମଣିଷ’ ନାଟକ ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମରେ ‘ଶୋଭା’ର ସଭାପତି ସିଦ୍ଧାର୍ଥ ସାରଥି ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଡ. ପ୍ରଦୀପ ଭୌମିକ ଓ ସମ୍ମାନୀତ ଅତିଥି ଭାବେ ସୁରଞ୍ଜନ ଦାସମହାପାତ୍ର ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି ଅବସରରେ ଗୁରୁ ନନ୍ଦ କିଶୋର ଦାସଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ବିଶ୍ୱନାଟ୍ୟ ଦିବସ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ନାଟକଟିକୁ ରଚନା କରିଥିଲାବେଳେ, ଏହାକୁ ନିର୍ଦ୍ଦେଶନା ଦେଇଥିଲେ ଅର୍ଣ୍ଣବ କୁମାର କର । ଏଥିରେ ଶୁଭଙ୍କର, ଆଶୀଷ, ଲକ୍ଷ୍ମୀକାନ୍ତ, ଚନ୍ଦ୍ରଶେଖର, ମଦନମୋହନ, ପ୍ରମୋଥେସ, ଦେବାନନ୍ଦ, ସୁବ୍ରତ, ମଧୁସ୍ମିତା ଓ ସଜନୀ ଅଭିନୟ କରିଥିଲାବେଳେ ରମାକାନ୍ତ ଦାସ ଗୀତ ରଚନା କରିଥିଲେ । ସେହିପରି ଗୁରୁ ନନ୍ଦ କିଶୋର ଦାସ ସଙ୍ଗୀତ ନିର୍ଦ୍ଦେଶନା ସହ ସଙ୍ଗୀତ ପରିଚାଳନା ମଧ୍ୟ କରିଥିଲେ । ଲକ୍ଷ୍ମୀ ଘୋଷ ମଞ୍ଚ ଆହ୍ୱାନ କରିଥିବା ବେଳେ ରାମଚନ୍ଦ୍ର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଅଜୟ କୁମାର ଆଚାର୍ଯ୍ୟ ଆଲୋକ ପରିଚାଳନା କରିଥିଲେ ।
