ବାଲେଶ୍ୱର : ନୀଳଗିରି ଅଯୋଧ୍ୟା ମାଟିତଳୁ ମିଳିଲା ପୁରାତନ ମନ୍ଦିରର ଚୁଳି
ନୀଳଗିରି : ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପନ୍ନ ମନ୍ଦିର ମାଳିନୀ ଗାଁ ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ଅଯୋଧ୍ୟାରେ ପୁଣି ମାଟିତଳୁ ମିଳିଲା ପୁରାତନ ମନ୍ଦିରର ଚୁଳି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଯୋଧ୍ୟା ଠାରେ ବିଭିନ୍ନ ସମୟରେ ବହୁ ପୁରାତନ ମନ୍ଦିରର ଭଗ୍ନାବଶେଷ, ବୌଦ୍ଧ, ଜୈନ ଆଦି କୀର୍ତ୍ତିରାଜିର ଐତିହ୍ୟ ସମ୍ପନ୍ନ ମୂର୍ତ୍ତି ଗ୍ରାମର ବିଭିନ୍ନ ସ୍ଥାନରୁ ମିଳିଥିବା ଦେଖିବାକୁ ମିଳିଛି । ଉକ୍ତ ମୂର୍ତ୍ତିଗୁଡ଼ିକ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଉଦ୍ଧାର ହୋଇ ଅଯୋଧ୍ୟା ଠାରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ସୁରକ୍ଷିତ ରଖାଯାଇଛି । ଏଥିସହିତ ସରକାର ପ୍ରଚାର ପ୍ରସାର ପାଇଁ ତତ୍ପରତା ଦେଖାଉନଥିବାରୁ ପର୍ଯ୍ୟଟକଙ୍କ ଅଢୁଆଳରେ ଏପରି କୀର୍ତ୍ତିରାଜି ଗ୍ରାମଟି ଲୋକଲୋଚନକୁ ଆସିପାରୁ ନାହିଁ । ଏପରିକି ଗବେଷକ ମାନେ ମଧ୍ୟ ମୁହଁ ମୋଡୁଥିବା ଶୁଣିବାକୁ ମିଳେ । ଏହି ଐତିହ୍ୟ ସମ୍ପନ୍ନ ଗାଁରେ ଅନଙ୍ଗ କୁମାର ମହାପାତ୍ର ନାମକ ଜଣେ ଗ୍ରାମବାସୀଙ୍କ ପରିତ୍ୟକ୍ତ ବାଡ଼ିରେ ମାଟିତଳେ ପୋତିହୋଇଥିବା ଏକ ମନ୍ଦିରର ଅଗ୍ରଭାଗ ବୁଧବାର ଦୃଶ୍ୟମାନ ହେବା ପରେ ଅଞ୍ଚଳରେ ଉକ୍ତ ମନ୍ଦିରର ଶିଖର ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଛି । ପୂର୍ବରୁ ବହୁବାର ମାଟିତଳୁ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିବା ଏବଂ ଏବେ ଏଭଳି ମନ୍ଦିରର ଶିଖର ଦୃଶ୍ୟମାନ ହେବା ପରେ ପୁରାତନ ଯୁଗରେ ଅଯୋଧ୍ୟା ଅଞ୍ଚଳଟି ଏକ ମନ୍ଦିର ମାଳିନୀ ଅଞ୍ଚଳ ଥିବାର ପ୍ରମାଣ ମିଳେ । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ତତ୍ପର ଦେଖାଇ ଉକ୍ତ ଗ୍ରାମରେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସର୍ବେକ୍ଷଣ କରି ପୁରାତନ ମନ୍ଦିର ଓ ମୂର୍ତ୍ତି ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଯତ୍ନଶୀଳ ହେବାକୁ ଦାବୀ ହୋଇଛି ।
