ଆଜି ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ବଡଠାକୁର
ପୁରୀ: ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥି ପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢ଼ୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।
ପରମ୍ପରା ଅନୁଯାୟୀ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଦିନ ଏହି ପର୍ବ ପାଳନ କରାଯାଏ । ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’ ବୋଲି କୁହାଯାଏ। କାରଣ, ‘ପୋରୁହାଁ’ ବା ‘ପଢ଼ୁଆଁ’ ହେଉଛି ‘ପ୍ରଥମ’ ଶବ୍ଦର ଅପଭ୍ରଂଶ । ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କ ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ଏନେଇ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି ।
ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ତିନି ବାଡରେ ଲାଗି କରାଇଥାନ୍ତି । ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି । ଏହି ପୂଜା ସମାପନାନ୍ତେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ । ଏହିପରି ଭାବେ ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ ।
ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଝାଞ୍ଜ ସଂକୀର୍ତ୍ତନ ସହ ବିରାଟ ପଟୁଆରେ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଭାର ପହଞ୍ଚି ଥିଲା। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପୋଢୁଆଁ ଭାରକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା। ସେପଟେ ପ୍ରଭୁଙ୍କ ଲାଗି ଆସିଥିବା ପୋଢୁଆଁ ବସ୍ତ୍ର ମହାପ୍ରଭୁଙ୍କ ମାପରେ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ମାଧବାନନ୍ଦ ଜୀୟୁ ଟ୍ରଷ୍ଟ ୪ ହଜାର ଟଙ୍କାର ରସିଦ ମଧ୍ୟ କାଟିଛନ୍ତି। ଶୁକ୍ରବାର ଆସିଥିବା ପୋଢୁଆଁ ଭାରରେ ପ୍ରସୁସ୍ୱାଦୁ ପିଠା ସ୍ତୁତ ହେବ। ପ୍ରଥମାଷ୍ଟମୀରେ ମାମୁଘରୁ ଆସିଥିବା ପୋଢୁଆଁ ବସ୍ତ୍ର ମହାପ୍ରଭୁଙ୍କୁ ଲାଗି ହେବା ସହ ଧୁପରେ ପିଠା ସାମଗ୍ରୀ ଲାଗିବା ନେଇ ଭକ୍ତ ଆଶାବାଦୀ ଅଛନ୍ତି। ତେବେ କେବଳ ଲୋକାଚାରରେ ଭକ୍ତମାନଙ୍କ ଠାରୁ ଗ୍ରହଣ କରିବା ଭଳି ରଖାଯାଇଛି ମହାପ୍ରଭୁଙ୍କ ଲାଗି ପୋଢୁଆଁ ଭାର, ହେଲେ ପ୍ରତିବର୍ଷ ଏଭଳି ସୁଯୋଗ ଦିଅନ୍ତୁ ବୋଲି ମାଧବାନନ୍ଦ ଜୀୟୁ ଟ୍ରଷ୍ଟ ଆଶା ରଖିଛି।
