କୂଅରେ ପଡ଼ିଲା ହାତୀଛୁଆ, ଉଦ୍ଧାର ପାଇଁ ବନବିଭାଗର ଉଦ୍ୟମ ଜାରି
ହାତୀପଲଙ୍କ ତାଣ୍ଡବଲୀଳା, ହୋଇପାରୁନି ଉଦ୍ଧାର କାର୍ଯ୍ୟ
ମୋରଡା : ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ରାସଗୋବିନ୍ଦପୁର ରେଞ୍ଜ ଅଧିନ ସୁରେଇଡିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ କୂଅ ଭିତରେ ପଡିଲା ହାତୀ ଛୁଆ । ଗତ ଶନିବାର ରାତିରେ ଜଙ୍ଗଲରେ ହାତୀପଲ ବୁଲୁଥିବା ବେଳେ ଛୁଆ ହାତୀଟି କୂଅ ଭିତରେ ଖସିପଡିଥିବା ଅନୁମାନ କରାଯଉଛି । ତେବେ ହାତୀଛୁଆ ପଡ଼ିଯିବା ପରେ ରାତିତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତାଣ୍ଡବଲୀଳା ରଚିଛନ୍ତି। ସେହିପରି ହାତୀ ଛୁଆ ପଡିଯିବା ପରେ କୂଅକୁ ଘେରିଛନ୍ତି ତିନି ମାଈ ହାତୀ ସହିତ ଗୋଟିଏ ଦନ୍ତାହାତୀ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ବନବିଭାଗ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି।
ସୂଚନା ଯେ, ଉକ୍ତ ଅଞ୍ଚଳରେ ଏକ ୧୫ ଟିକିଆ ହାତୀପଲ ଗତ କିଛି ଦିନଧରି ବିଚରଣ କରୁଥିବା ବେଳେ ସବୁଦିନଭଳି ଶନିବାର ମଧ୍ୟ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ। ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ଏକ ହାତୀଛୁଆ ପଡ଼ିଯାଇଥିଲା। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ହାତୀପଲଙ୍କ ତାଣ୍ଡବଲୀଳା। ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ବେତନଟୀରୁ ଆସିଥିବା ଦୁଇଟି ଟିମ୍ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ କାହାରିକୁ ଯିବାକୁ ଦେଉ ନାହାନ୍ତି l ପୁନଶ୍ଚ ହାତୀଛୁଆ କୂଅରେ ପଡ଼ିଯିବା ପରେ ପୁରା ହାତୀପଲ ଉଗ୍ର ହୋଇପଡ଼ିଛନ୍ତି।

