ସୁନହଟରେ ଉଦ୍ଘାଟିତ ହେଲା ଆକ୍ସିସ ବ୍ୟାଙ୍କର ନୂତନ ଶାଖା
ବାଲେଶ୍ୱର : ବାଲେଶ୍ୱର ସହରର ସୁନହଟର ଦେୱାନପାଟଣା ଛକ ନିକଟରେ ଆକ୍ସିସ ବ୍ୟାଙ୍କର ନୂତନ ଶାଖା ବୁଧବାର ଉଦ୍ଘାଟିତ ହୋଇଯାଇଛି । ବାଲେଶ୍ୱର ଉପ-ଜିଲାପାଳ କୁନାଲ ମୋତିରାମ ଚୌହାନ ଆନୁଷ୍ଠାନିକ ଭାବେ ଏହି ଶାଖା କାର୍ଯ୍ୟାଳୟକୁ ଉଦ୍ଘାଟନ କରିବା ସହିତ ଜିଲାର ଅପହଞ୍ଚ ଇଲାକାରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ । ଅଞ୍ଚଳବାସୀଙ୍କ ପାଇଁ ଯେ କୌଣସି ବ୍ୟାଙ୍କର ଶାଖା ଖୋଲିଲେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଆକ୍ସିସ ବ୍ୟାଙ୍କର ଓଡ଼ିଶା କ୍ଲଷ୍ଟର ମୁଖ୍ୟ ପ୍ରଶାନ୍ତ ମିଶ୍ର ଏଥିରେ ଯୋଗଦେଇ ବ୍ୟାଙ୍କ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଥିବା ଆକ୍ସିସ ବ୍ୟାଙ୍କର ଏହି ନୂତନ ଶାଖା ବାଲେଶ୍ୱର ସହରବାସୀଙ୍କ ଆବଶ୍ୟକତା ପୂରଣରେ ବେଶ ସହାୟକ ହେବ ବୋଲି କହିଥିଲେ । ଏହି ଶାଖା ସମଗ୍ର ଓଡ଼ିଶାରେ ୧୯୮ ତମ ଶାଖା ହୋଇଥିବା ବେଳେ ବାଲେଶ୍ୱର ଜିଲାରେ ଏହା ଚୁତର୍ଥ ତଥା ଜିଲାର ୧୨ତମ ଶାଖା । ପୂର୍ବରୁ ବାଲେଶ୍ୱର ସହରରେ ୩ଟି ସଫଳତାର ସହ କାର୍ଯ୍ୟକ୍ଷମ ଥିବା ବେଳେ ଋଣ ପ୍ରଦାନ ଓ ଜମା ସଂଗ୍ରହ ସହିତ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଏହି ନୂତନ ଶାଖା ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଥିଲେ । ଆକ୍ସିସ ବ୍ୟାଙ୍କର ସର୍କଲ ମୁଖ୍ୟ ସୋମାଦିପ୍ତ ଚନ୍ଦା ପୌରୋହିତ୍ୟ କରି କରିବା ସହିତ ଶାଖାର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଯୁବ ସଂଗଠକ ସାହିରୁଲ ହକ୍ ଓ ନଳିନୀ ରଞ୍ଜନ ଦାସ ଅତିଥି ଭାବେ ଯୋଗଦେଇ ଶାଖାର ସଫଳତା କାମନା କରିଥିଲେ । ଶେଷରେ ନୂତନ ଶାଖା ମୁଖ୍ୟ ସମ୍ବିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ୟାଙ୍କର ବହୁ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।
