ବାଲେଶ୍ୱର : ରାକ୍ଷୀ ବାନ୍ଧି ନୀଳରକ୍ତ କଙ୍କଡ଼ାର ସୁରକ୍ଷା ନିମନ୍ତେ ସଚେତନତା
- ଆକର୍ଷଣୀୟ ନୀଳରକ୍ତ କଙ୍କଡା ମୁଦ୍ରିତ ରାକ୍ଷୀ ବାନ୍ଧିଲେ ୨୦୦ରୁ ଊର୍ଦ୍ଧ୍ଵ ମତ୍ସ୍ୟଜୀବୀ ଓ ଜନସାଧାରଣ
ବାଲେଶ୍ୱର : ବାଲେଶ୍ୱରର ନୀଳରକ୍ତ କଙ୍କଡା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ ଦ୍ଵାରା ସମୁଦ୍ର କୂଳିଆ ଗାଁରେ ନିଆରା ରକ୍ଷା ବନ୍ଧନ ପାଳନ କରାଯାଇଛି । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ବହୁ ପୁରାତନ ପରମ୍ପରା ଚାଲି ଆସୁଥିବାବେଳେ ବହୁ ଅନୁଷ୍ଠାନ ତଥା ବ୍ୟକ୍ତିମାନେ ପଶୁ ଓ ବୃକ୍ଷକୁ ରାକ୍ଷୀ ବାନ୍ଧି ତାର ସୁରକ୍ଷା ପାଇଁ ଉତ୍ସବ ପାଳନ କରନ୍ତି । ହେଲେ ବାଲେଶ୍ୱରର ନୀଳରକ୍ତ କଙ୍କଡା ସୁରକ୍ଷା ପ୍ରେମୀମାନେ ଗତ ୨୦୧୬ ମସିହାରୁ ନୀଳରକ୍ତ କଙ୍କଡା ସୁରକ୍ଷାର ସଚେତନତା ପାଇଁ ଏକ ଅଭିନବ ଓ ନିଆରା ରାକ୍ଷୀ ବାନ୍ଧି ଉତ୍ସବ ପାଳିବା ପରମ୍ପରା କରି ଆସୁଛନ୍ତି ।
ଆଜି ରକ୍ଷା ବନ୍ଧନ ଉତ୍ସବ ଅବସରରେ ନୀଳରକ୍ତ ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ ଫକୀରମୋହନ ଗୋଲେଇ ନିକଟସ୍ଥ କାର୍ଯ୍ୟାଳୟରେ ସଭାପତି ଲକ୍ଷ୍ମୀଧର ବେହେରାଙ୍କ ସଭାପତିତ୍ୱରେ ଉପସ୍ଥିତ ହୋଇ ସମସ୍ତେ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ। ପରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ ଶପଥ ନେଇଥିବା ବେଳେ ସମୁଦ୍ର କୂଳ ଗାଁ ପରିଖି, ପନ୍ତା, ତାଳବୋରାଇ, ବଗଦା, ଦୁବଲାଗଡି ଓ ବାହାବଳପୁରରେ ମତ୍ସ୍ୟଜୀବୀ, ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ଆକର୍ଷଣୀୟ ନୀଳରକ୍ତ କଙ୍କଡା ମୁଦ୍ରିତ ରାଖି ବାନ୍ଧି ସଚେତନତା କରିବା ସହ ଶପଥ କରାଇଥିଲେ । ମଞ୍ଚର ସଂପାଦକ ଡ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଉପସଭାପତି ଶିଳ୍ପୀ କେଶୁଦାସ, ସନାତନ ଟୁଡୁ, ଯୁବଶିଳ୍ପୀ ଦେବାଶିଷ ପତି ସହ ପନ୍ତାର ପ୍ରତିନିଧି ଆୟୁବ ଖାଁ, ତାଳବୋରାଇର ପ୍ରତିନିଧି ଅଶୋକ ପ୍ରଧାନ, ପରିଖିର ପ୍ରତିନିଧି ସରୋଜ ପରିଡ଼ା, ବଗଦାର ନାରାୟଣ ପରିଡ଼ା, ଦୁବଲାଗଡିର ଗୋବିନ୍ଦ ପ୍ରସାଦ ଦାସ, ବହାବଳପୁରର ପ୍ରତିନିଧି ସୁଶାନ୍ତ ବେରା ପ୍ରମୁଖ ଯୋଗଦେଇ ଥିଲେ । ଏଥିସହ ସ୍ଥାନୀୟ ବହୁ ଯୁବ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ ।


