ଭୁବନେଶ୍ୱର ଏମ୍ସରେ ସଚେତନତା କାର୍ଯ୍ୟକ୍ରମ : ବିପିଏଲ ଶ୍ରେଣୀର ମହିଳାଙ୍କୁ ମାଗଣା ସ୍କ୍ରିନିଂ
ଭୁବନେଶ୍ୱର : ଗର୍ଭ ଗୃହ କର୍କଟ (ସର୍ଭିକାଲ କ୍ୟାନ୍ସର) ରୋଗ ହେଉଛି ଏକମାତ୍ର କର୍କଟ ରୋଗ ଯାହାକି ଟୀକାକରଣ ଏବଂ ଶୀଘ୍ର ଚିହ୍ନଟ ଦ୍ୱାରା ଭଲ ହୋଇପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍) ୨୦୩୦ ସୁଦ୍ଧା ଏହି କର୍କଟ ରୋଗକୁ ଦୂରୀକରଣ ନିମନ୍ତେ ଗତବର୍ଷ ନଭେମ୍ବର ୧୭ରେ ସମଗ୍ର ବିଶ୍ୱ ସମୂଦାୟକୁ ଆହ୍ୱାନ ଦେଇଥିଲା । ଏମ୍ସ ଭୁବନେଶ୍ୱର ସର୍ଭିକାଲ୍ କ୍ୟାନ୍ସରକୁ ଦୂରୀକରଣ ପ୍ରକ୍ରିୟାରେ ସକ୍ରିୟ ସହଯୋଗ ଜାରି ରଖିଛି । ଚଳିତ ବର୍ଷ ଏମ୍ସ ଭୁବନେଶ୍ୱରର ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ପକ୍ଷରୁ ବିଭାଗ ଏବଂ ହସ୍ପିଟାଲରେ ଥିବା ମହିଳାମାନଙ୍କୁ ଏନେଇ ସଚେତନ କରାଯାଇଥିଲା । ସର୍ଭିକାଲ୍ କର୍କଟର କାରଣ, ନିରାକରଣ ସହିତ କେଉଁମାନେ ଏବଂ କିପରି ଏହା ବ୍ୟାପିଥାଏ ତାହା ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା । ଏଥିସହିତ ସେମାନଙ୍କର ଝିଅ ମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ପ୍ରାଥମିକ ସୁରକ୍ଷା ସ୍ୱରୂପ ହ୍ୟୁମାନ ପାପିଲୋମା ଭାଇରସ୍(ଏଚ୍ପିଭି) ଟିକା ଦେବାକୁ ପରାମର୍ଶ ଦିଆଯାଇଥିଲା ।
ସେହିପରି ୨ୟ ପର୍ଯ୍ୟାୟ ସୁରକ୍ଷା ପାଇଁ ପର୍ଯ୍ୟାୟବ୍ୟାପି ସର୍ଭିକାଲ୍ କ୍ୟାନ୍ସର ସ୍କ୍ରିନିଂ କରିବାକୁ ସଚେତନ କରାଯାଇଥିଲା । ପାପ୍ ସ୍ମିୟରସ, ଲିକ୍ୟୁଡି ବେସ୍ଡ ପାପ୍, ଭିଆଇଏ, ଭିଆଇଏଲଆଇ ଏବଂ ଏଚ୍ପିଭି ପଦ୍ଧତିରେ ପରୀକ୍ଷା ହୋଇଥାଏ । ୧୫ ବର୍ଷ ସୁଦ୍ଧା କିଶୋରୀମାନଙ୍କୁ ଟିକା ପ୍ରଦାନ, ୩୫-୪୫ ବର୍ଷର ମହିଳାଙ୍କୁ ସ୍କ୍ରିନିଂ ଏବଂ ୯୦ ପ୍ରତିଶତରୁ ଊର୍ଧ୍ୱ ମହିଳାଙ୍କୁ ଚିକିତ୍ସା ପ୍ରଦାନ ପୂର୍ବକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶିକା ଅନୁସାରେ ଏମ୍ସ ଭୁବନେଶ୍ୱରର ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ଚିକିତ୍ସା କରିବାକୁ ଶପଥ ନିଆଯାଇଥିଲା । ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶିକା ତଥା ଦେଶର ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ଡ. ବି ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏଠାରେ ବିପିଏଲ୍ ଶ୍ରେଣୀର ମହିଳାଙ୍କୁ ସପ୍ତାହର ପ୍ରତି ସୋମବାରରୁ ଶନିବାର ମାଗଣାରେ ସର୍ଭିକାଲ୍ କର୍କଟ ରୋଗ ନିରୂପଣ ନିମନ୍ତେ ସ୍କ୍ରିନିଂ କରାଯାଉଛି । ଏହି ରୋଗର ନିରାକରଣ ନିମନ୍ତେ ଏମ୍ସ ଭୁବନେଶ୍ୱରର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲ୍ ମେଡିସିନ୍(ସିଏମଏଫଏମ) ପକ୍ଷରୁ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଂଟିଭ୍ ଏଣ୍ଡ୍ ସୋସିଆଲ୍ ମେଡିସିନ୍ (ଆଇଏପିଏସଏମ) ସହିତ ମିଳିତ ସହଭାଗିତାରେ ଭାରତରେ କର୍କଟ ରୋଗର ସ୍ଥିତି ଏବଂ ପ୍ରିଭେଂଟିଭ୍ ଅଙ୍କୋଲୋଜି ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି, ଆଇଏପିଏସଏମ ଭାରତ ସଭାପତି ଡ. ସୁନୀଳା ଗର୍ଗ, ଏନଆଇସିପିଆର ନିୟୁଦିଲ୍ଲୀ ନିର୍ଦ୍ଦେଶିକା ଡ. ଶାଳିନୀ ସିଂ, ଏମ୍ସ ଭୁବନେଶ୍ୱର ସିଏମଏଫଏମ ବିଭାଗୀୟ ମୁଖ୍ୟ ଡ. ସୋନୁ ଏଚ୍ ସୁବା ପ୍ରମୁଖ ମତ ରଖିଥିଲେ । ଏମ୍ସ ଭୁବନେଶ୍ୱରର ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ପ୍ରଫେସର ସୌଭାଗ୍ୟ କୁମାର ଜେନା, ଅତିରିକ୍ତ ପ୍ରଫେସର ଡ. ଶ୍ୱେତା ସିଂ, ଡ. ପୃଥ୍ୱୀରାଜ ସେଠୀ ଏବଂ ଡ. ଦିପ୍ତୀ ବାଲକ୍ରିଷ୍ଣନ୍ ପ୍ରମୁଖଙ୍କ ସମେତ ଡ. ଯଶ୍ମୀନା ବେଗମ୍, ଡ. ସୁବର୍ଣ୍ଣ ମିତ୍ର, ଡ. ଧରିତ୍ରୀ ସ୍ୱାଇଁ, ଡ. ସ୍ମିତା, ନର୍ସିଂ ଅଧିକାରୀ ରାଜଲକ୍ଷ୍ମୀ ପ୍ରମୁଖଙ୍କ ସମେତ ଫାକ୍ଲଟି, କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟଯେ ଭାରତରେ ୯୦ ପ୍ରତିଶତ ସର୍ଭିକାଲ୍ କର୍କଟ ଏଚ୍ପିଭି ଭାଇରସ୍ ଟାଇପ୍ ୧୬ ଏବଂ ୧୮ କାରଣରୁ ହୋଇଥାଏ । ଯାହାକି ଶାରୀରିକ ସମ୍ପର୍କ କାରଣରୁ ହୋଇଥାଏ ।
