ଟିଏସ୍ଏଫ୍ର ଗୋଷ୍ଠୀ ସମ୍ପର୍କ କାର୍ଯ୍ୟକ୍ରମ “ଅସ୍ମିତା”, ୧୬୮ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଶିକ୍ଷା ବୃତି ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ସ୍ଥିତ ବାଲିଆପାଳ କଲେଜ ଅଫ୍ ଫିଜିକାଲ୍ ଏଜୁକେସନ ପରିସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଦୁଇ ଦିନିଆ ଗୋଷ୍ଠୀ ସମ୍ପର୍କ କାର୍ଯ୍ୟକ୍ରମ “ଅସ୍ମିତା” ଆରମ୍ଭ । ଏହି ଅବସରରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍)ର ସିଏସ୍ଆର୍ ଅଭିଯାନର ଅଂଶ ସ୍ୱରୂପ ବାଲିଆପାଳ ଓ ବସ୍ତା ଅଞ୍ଚଳର ୧୬୮ ଜଣ ପ୍ରତିଭାବାନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍ସି/ଏସ୍ଟି) ଛାତ୍ରଛାତ୍ରୀମାନଙ୍କୁ ଟିଏସ୍ଏଫ୍ ପକ୍ଷରୁ ଜ୍ୟୋତି ଶିକ୍ଷା ବୃତି ପ୍ରଦାନ କରାଯାଇଛି । ବିଭିନ୍ନ ବିଦ୍ୟାଳୟର ୧୧୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଆଖାପାଖ କଲେଜର ୫୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୮.୫୯ ଲକ୍ଷ ଟଙ୍କାର ଫେଲୋସିପ୍ ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ଚୟନ କରିବା ଲାଗି ହୋଇଥିବା ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୩ ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ସ୍ୱରୂପ ଟାବ୍ଲେଟ୍ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଆଖପାଖ ସ୍କୁଲର ୨୮ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ଆୟୋଜିତ ପୁରସ୍କାର ବିତରଣ ଉତ୍ସବକୁ ଟିଏସ୍ଏଫ୍ର ମୁଖ୍ୟ ପ୍ରମୋଦ କୁମାର ପାତ୍ର ପରିଚାଳନା କରିଥିଲେ । ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏସ୍ପିପିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରକାଶ ସିଂହ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ପ୍ରଦାନ କରିଥିଲେ । ଜିଲାପାଳ ଶ୍ରୀ ଶିନ୍ଦେ ଏହି ଅଭିଯାନ ପାଇଁ ଏସ୍ପିପିଏଲ୍ ଓ ଟିଏସ୍ଏଫ୍କୁ ପ୍ରଶଂସା କରି ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ନିଷ୍ଠାର ସହ ପଢ଼ିବା ଲାଗି ଛାତ୍ରୀଛାତ୍ରମାନଙ୍କୁ ଏହି ଜ୍ୟୋତି ଫେଲୋସିପ୍ ନିଶ୍ଚିତ ଭାବେ ଉତ୍ସାହିତ କରିବ ଏବଂ ଭବିଷ୍ୟତରେ ଶିକ୍ଷାବୃତି ଜାରି ରଖିବା ଲାଗି ସେମାନଙ୍କସ୍ତରକୁ ବଜାୟ ରଖିବ । ଏସ୍ପିପିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସିଂହ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମ ସିଏସଆର୍ ଅଭିଯାନର ଅଂଶ ଯାହା ନିଯୁକ୍ତି, ନିଯୁକ୍ତି ହାସଲ କ୍ଷମତା, ଶିକ୍ଷା ଓ ଉଦ୍ୟମିତା ଉପରେ ଗୁରୁତ୍ୱାରୋପ କରୁଛି । “ଜ୍ୟୋତି ଫେଲୋସିପ୍’ କାର୍ଯ୍ୟକ୍ରମ ଜରିଆରେ ଏହି ଅଞ୍ଚଳର ଏସ୍ସି/ଏସ୍ଟି ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷା ଆୟୋଜନ କରାଯାଇଛି ଏବଂ ନିର୍ଦ୍ଧାରିତ ସକାରାତ୍ମକ ନୀତି ଅନୁସାରେ ଯେଉଁମାନେ ପ୍ରତିଭା ଭିତ୍ତିକ ଚୟନ ଯୋଗ୍ୟତା ମାନଦଣ୍ଡକୁ ପୂରଣ କରୁଛନ୍ତି ସେମାନଙ୍କୁ ଫେଲୋସିପ୍ ପ୍ରଦାନ କରାଯାଉଛି । ଅଞ୍ଚଳର ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ପ୍ରତି ଯୋଗଦାନ ପ୍ରଦାନ କରିବା ଲାଗି ଅନ୍ୟାନ୍ୟ କ୍ଷେତ୍ରରେ ଏଭଳି ସମାନ ଅଭିଯାନ ଆରମ୍ଭ କରିବା ଲାଗି ସେମାନେ ଯୋଜନା ରଖିଛନ୍ତି ।’’ ଫେଲୋସିପ୍ରେ ନଗଦ ରାଶି ଭାବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୩ହଜାର ୭୫୦ ଟଙ୍କା, ଓ ଅଣ ସ୍ନାତକ (ଅଣ୍ଡର ଗ୍ରାଜୁଏଟ୍) ପାଇଁ ୮ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମେରିଟ୍ ସାର୍ଟିଫିକେଟ୍ (ଯୋଗ୍ୟତା ପ୍ରମାଣପତ୍ର) ପ୍ରଦାନ କରାଯାଇଥିଲା । ପରୀକ୍ଷାରେ ଥରେ ପାସ୍ ହେବା ପରେ ନୂଆ ଫେଲୋସିପ୍ ପାଇବା ସହ ପରବର୍ତ୍ତୀ ବର୍ଷଗୁଡ଼ିକ ଲାଗି ତାହାର ନବୀକରଣ ପାଇଁ ଛାତ୍ର କିମ୍ବା ଛାତ୍ରୀ ଜଣକ ଯୋଗ୍ୟତା ହାସଲ କରିଥାନ୍ତି । ପ୍ରତି ଶିକ୍ଷା ବର୍ଷରେ ସ୍କୁଲ/ କଲେଜରେ ହେଉଥିବା ବାର୍ଷିକ ପରୀକ୍ଷାରେ ୪୫% ମାର୍କ ରଖିବାକୁ ମଧ୍ୟ ପଡ଼ିଥାଏ ।
