ଆଜିଠୁ ସୁପ୍ରିମ୍କୋର୍ଟରେ ଆଭାସି ଶୁଣାଣି
ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ନେଇ ସୁପ୍ରିମ୍କୋର୍ଟ ମାମଲାଗୁଡିକୁ ଆଭାସି ମାଧ୍ୟମରେ ଶୁଣାଣି କରିବେ। ଆଜି ଠାରୁ ଆସନ୍ତା ୨ ସପ୍ତାହ ପାଇଁ ମାମଲାଗୁଡିକୁ ଆଭାସି ମାଧ୍ୟମରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟାରେ ନିର୍ଦେଶନାମା ଜାରି କରାଯାଇଛି। ନିର୍ଦେଶନାମାରେ କୁହାଯାଇଛି ଯେ ପୂର୍ବରୁ ପ୍ରତ୍ୟକ୍ଷ ଶୁଣାଣି ନିମନ୍ତେ ଜାରି ଏସଓପିକୁ ବାତିଲ କରାଯାଇଛି।
ଅକ୍ଟୋବର ୭, ୨୦୨୧ରେ ମାମଲାର ପ୍ରତ୍ୟକ୍ଷ ଶୁଣାଣି ନିମନ୍ତେ ଜାରି ସର୍ବୋଚ୍ଚ ଅଦାଲତ ଏସଓପି ଜାରି କରିଥିଲେ। ଦେଶରେ କୋରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପ୍ରତ୍ୟକ୍ଷ ଶୁଣାଣି ବାତିଲ କରାଯାଇଛି। ଶୀତକାଳୀନ ଅବକାଶ ପରେ ସୋମବାରଠାରୁ ଅଦାଲତ ଖୋଲିବ। କୋରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ଠାରୁ ଶୀର୍ଷ ଅଦାଲତ ଆଭାସି ମାଧ୍ୟମରେ ମାମଲାଗୁଡିକୁ ଶୁଣାଣି କରିଆସୁଥିଲେ। ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ୨୦୨୧ ଅକ୍ଟୋବରରୁ ମାମଲାର ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ ହୋଇଥିଲା। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ସୋମବାରଠାରୁ ମାମଲାଗୁଡିକୁ ଆଭାସି ମାଧ୍ୟମରେ ଶୁଣାଣି କରାଯିବ।
ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ଆଭାସି ଶୁଣାଣିର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ବିଚାରପତି ଡିଏନ୍ ପଟେଲଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶ ଅନ୍ୟ କେତେକ ଉଚ୍ଚ ନ୍ୟାୟାଳୟ ଓ ଜିଲା ଅଦାଲତରେ ମଧ୍ୟ ମାମଲାର ଆଭାସି ଶୁଣାଣି ପାଇଁ ନିଷ୍ପତ୍ତି ନିଆଯାଇଛି। କୋରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଅଦାଲତଗୁଡିକରେ ଆଭାସି ମାଧ୍ୟମରେ ମାମଲାର ଶୁଣାଣି କରାଯାଉଥିଲା।
