ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ଘୋଷଣା : ଫେରିଲେ ୱାର୍ଣ୍ଣର ଓ ସ୍ମିଥ୍
ସିଡନୀ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି । ବାଂଲାଦେଶରେ ଲଜ୍ଜାଜନକ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଟପ୍ ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ୍ କରିଛି । ନିୟମିତ କ୍ୟାପଟେନ୍ ଆରୋନ୍ ଫିଂଚ୍ ଓ ଷ୍ଟିଭ୍ ଟିମକୁ ଫେରିଛନ୍ତି । ସେହିପରି ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପ୍ରତ୍ୟାବର୍ତନ ଟିମକୁ ଅଧିକ ମଜଭୁତ୍ କରିଛି । ଟିମରେ ଅନକ୍ୟାପଡ୍ ୱିକେଟ କିପର ଜୋଶ ଇଙ୍ଗଲିସଙ୍କୁ ସାମିଲ୍ କରାଯାଇଛି । ଅକ୍ଟୋବର ଓ ନଭେମ୍ବରରେ ୟୁଏଇରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ଆଶେସ୍ ସିରିଜ୍ ଖେଳିବ । ତେଣୁ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ପାଇଁ ତା’ର ସର୍ବଶ୍ରେଷ୍ଠ ଟିମ୍ ଚୟନ କରିଛି । ଟି-୨୦ରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅଷ୍ଟ୍ରେଲିଆ ତା’ର ଶେଷ ୫ଟି ଟି-୨୦ ସିରିଜରେ ପରାସ୍ତ ହୋଇଛି ।
ICYMI: Australia named their squad for the #T20WorldCup.
— cricket.com.au (@cricketcomau) August 19, 2021
Details: https://t.co/kyyCfWDOZu pic.twitter.com/TY9TDw2pNy
ନିକଟରେ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଗସ୍ତରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ବହୁତ ଖରାପ ରହିଥିଲା । ବିଶେଷ କରି ବାଂଲାଦେଶ ଗସ୍ତରେ ଟିମର ପ୍ରଦର୍ଶନ ଶୋଚନୀୟ ଥିଲା । ବାଂଲାଦେଶ ବିପକ୍ଷରେ ଖେଳିଥିବା ପାଂଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ୧-୪ରେ ପରାସ୍ତ ହୋଇଥିଲା । ଯଦିଓ ଏହି ଗସ୍ତରେ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଅଧିକାଂଶ ନୂଆ ଖେଳାଳି ସାମିଲ୍ ଥିଲେ, ସେଥିପାଇଁ ଟିମର ପ୍ରଦର୍ଶନ ଆଶାମୁତାବକ ରହିନଥିଲା । କିନ୍ତୁ ଟି-୨୦ ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ସ୍କ୍ୱାଡ୍ ଅଷ୍ଟ୍ରେଲିଆ ପାଇଁ ଫଳପ୍ରଦ ହେବ । ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଗସ୍ତ କରିନଥିବା ମାର୍କସ୍ ଷ୍ଟୋଇନିସ୍ ଓ କେନ୍ ରିଚାର୍ଡସନ୍ ଟି-୨୦ ବିଶ୍ୱକପ୍ ପାଇଁ ଚୟନ ହୋଇଛନ୍ତି । ଆହତ କାରଣରୁ ଟିମରୁ ଦୂରରେ ଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମିଥ୍ ଏବେ ଫିଟ୍ ହୋଇ ଫେରିଛନ୍ତି । ସେହିପରି କ୍ୟାପଟେନ୍ ଫିଂଚ ଆଣ୍ଠୁଜନିତ ସମସ୍ୟାରୁ ମୁକୁଳିଛନ୍ତି । ବିଶ୍ୱକପରେ ସେ ଟିମର ନେତୃତ୍ୱ ନେବେ ।
ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡ୍: ଆରୋନ୍ ଫିଂଚ୍ (କ୍ୟାପଟେନ୍), ପ୍ୟାଟ୍ କମିନ୍ସ (ଭାଇସ୍ କ୍ୟାପଟେନ୍), ଅଷ୍ଟନ୍ ଅଗର, ଜୋଶ୍ ହେଜଲଉଡ୍, ଜୋଶ ଇଙ୍ଗଲିସ, ମିଚେଲ୍ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍, କେନ୍ ରିଚାର୍ଡସନ୍, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍, ଡେଭିଡ୍ ୱାର୍ଣ୍ଣର, ଆଡାମ୍ ଜାମ୍ପା ।
