ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ କ୍ରିକେଟ୍ ତାରକା ଗିଲଖ୍ରୀଷ୍ଟଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସହଭାଗିତା ଉପରେ ଆଲୋଚନା- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରଙ୍କ ସହ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେର, ଅଷ୍ଟ୍ରେଲିଆର କ୍ରିକେଟ୍ ତାରକା ଆଦାମ ଗିଲଖ୍ରୀଷ୍ଟଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ମନ୍ତ୍ରୀ ଏବଂ ଗିଲଖ୍ରୀଷ୍ଟ ସହ ଅଷ୍ଟ୍ରେଲିଆର ଏକ ପ୍ରତିନିଧି ଦଳ ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତା ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ । ଉଭୟ ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଓ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ମଜଭୂତ କରିବା ଉପରେ ବିଚାରବିମର୍ଷ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ବ୍ୟକ୍ତିବିଶେଷମାନେ ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ଦୃଢୀଭୂତ କରିବା ଉପରେ ଉଦବୋଧନ ଦେଇଥିଲେ । ସେ କହିଥିଲେ ଶିକ୍ଷା ହେଉଛି ପରିବର୍ତ୍ତନର ମାଧ୍ୟମ । ଉଭୟ ଦେଶର ସହଭାଗିତା ମଧ୍ୟରେ ଶିକ୍ଷା ବିଭାଗ ହେଉଛି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଭାରତ ଅଷ୍ଟ୍ରେଲିଆ ସହ ସହଯୋଗୀ ହୋଇ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
