ବାଂଲାଦେଶଠୁ ୧-୪ରେ ସିରିଜ୍ ହାରିଲା ଅଷ୍ଟ୍ରେଲିଆ
- ଅନ୍ତିମ ଟି-୨୦ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କଲା ବାଂଲାଦେଶ
ଢାକା : ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କଲା ବାଂଲାଦେଶ । ଏଥିସହ ଘରୋଇ ଦଳ ସିରିଜ୍କୁ ୪-୧ରେ ଜିତି ନେଇଛି । ଦଳ ପ୍ରଥମଥର ଅଷ୍ଟ୍ରେଲିଆ ବିରୋଧରେ ସିରିଜ୍ ଜିତିବାରେ ସଫଳ ହୋଇଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍ରେ ୧୨୨ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୬୨ ରନରେ ହିଁ ଅଲଆଉଟ୍ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୪ରେ ପରାସ୍ତ ହୋଇଥିଲା। ଏହି ପରାଜୟ ସହ ଅଷ୍ଟ୍ରେଲିଆ କ୍ରମାଗତ ପଞ୍ଚମ ଟି-୨୦ ସିରିଜ୍ ହାରିଛି। ୧୨୩ ରନର ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଆରମ୍ଭ ବହୁତ ଦୟନୀୟ ଥିଲା। ଦଳ ଦ୍ଵିତୀୟ ଓଭରରେ ଡେନ କ୍ରିଷ୍ଟିୟାନ(୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଦଳର ବ୍ୟାଟିଂ କ୍ରମ ତାସପତା ପରି ଭୁଶୁଡି ପଡିଥିଲା। ପୂରା ଟିମ୍ ୧୩.୪ ଓଭରରେ ୬୨ ରନରେ ଅଲଆଉଟ୍ ହୋଇଥିଲା। ଏହା ଦଳର ଟି-୨୦ରେ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଦଳ ୨୦୦୫ରେ ଇଂଲଣ୍ଡ ବିପକ୍ଷରେ ୭୯ ରନ କରିଥିଲା। ଅଧିନାୟକ ମାଥ୍ୟୁ ଓ୍ଵାଦେ ସବୁଠୁ ଅଧିକ ୨୨ ରନ କରିଥିଲେ। ୯ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି। ବାଂଲାଦେଶର ବାମହାତୀ ସ୍ପିନର ସାକିକ ଅଲ ହସନ ସର୍ବାଧିକ ୪ ଓ୍ଵିକେଟ୍ ନେଇ କଙ୍ଗାରୁର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ।
ଏହା ପୂର୍ବରୁ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୋହମ୍ମଦ ନଇମ(୨୩) ଓ ମେହଦି ହସନ(୧୩) ପ୍ରଥମ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ଏହା ପରେ ବାଂଲାଦେଶର ବ୍ୟାଟସମ୍ୟାନ ହାତ ଖୋଲା ସଟ୍ ଖେଳି ପାରିନଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୨୨ ରନ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ ମହମୁଦୁଲ୍ଲାହ ୧୯ ଓ ସୌମ୍ୟ ସରକାର ୧୬ ରନ କରିଥିଲେ। ସୂଚନା ଯେ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ କୌଣସି ବି ଦଳ ୧୫୦ ରନ କରି ପାରି ନାହାନ୍ତି। ରନ ସବୁଠୁ ବଡ ସ୍କୋର ୧୩୧ ରନ। ବାଂଲାଦେଶ ଦଳ ପ୍ରଥମ ଟି-୨୦ରେ ଏହି ସ୍କୋର କରିଥିଲା। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ଏମିତି ଶୋଚନୀୟ ପରାଜୟ ଅଷ୍ଟ୍ରେଲିଆର ପ୍ରସ୍ତୁତିକୁ ଜୋରଦାର ଝଟକା ଲାଗିଛି।
