ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ, ଅଭିଯୁକ୍ତ ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁରରେ ଏକ ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଅଗସ୍ତି ନୂଆଗାଁର ବୁଡୁ ନାହାକ (୩୨) ।
ଗତକାଲି ରାତି ପ୍ରାୟ ୨ଟା ସମୟରେ କେଶପୁର ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମ କାଉଂଟରର ସାଇରନ ବାଜି ଉଠିଥିଲା । ପୋଲିସ ସେଠାରେ ପହଂଚିବା ବେଳକୁ ମେସିନ ଭଙ୍ଗା ଯାଇଥିବା ଏବଂ ନିକଟରେ ଏକ ପଥର ପଡିଥିବା ଦେଖିବାକୁ ମିଳିଥିଲା । ସିସି କ୍ୟାମେରା ଫୁଟେଜ୍ ଯାଂଚ୍ ପରେ ଜଣେ ଯୁବକ ପଥର ସାହାଯ୍ୟରେ ମେସିନ ଭାଙ୍ଗୁଥିବା ଜଣାପଡିଥିଲା । ସମ୍ପୃକ୍ତ ଯୁବକ ବୁଡୁକୁ ଚିହ୍ନଟ ପରେ କେଶପୁର ଅଂଚଳରୁ ତାକୁ ଠାବ କରିଥିଲା ପୋଲିସ । ଏ ସଂକ୍ରାନ୍ତରେ ଖଲ୍ଲିକୋଟ ଥାନାରେ ୬୪୫/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
