ବେଆଇନ କ୍ରସର ୟୁନିଟ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ପଥର ଜବତ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ତହସିଲ୍ ଜାମୁଢ଼ିଆ ପଞ୍ଚାୟତ ଅନ୍ତର୍ଗତ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ ଚାଲିଥିବା ବେଆଇନ କ୍ରସର ଉପରେ ନୀଳଗିରି ତହସିଲଦାର ସହିତ ପୋଲିସ ଫୋର୍ସ ସହଯୋଗରେ ଅଚାନକ ଚଢ଼ାଉ କରିଛନ୍ତି । ବେଆଇନ୍ କ୍ରସରକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗୁରୁବାର ଦିନ ତହସିଲ୍ଦାର ପୋଲିସ ଫୋର୍ସ ନେଇ ତହସିଲଦାର ଅଚାନକ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଚିପ୍ସ ଓ ପଥର ଜବତ କରିବା ସହ ଆପେକ୍ସ କନଷ୍ଟ୍ରକଶନ ପ୍ରାଇଭେଟ୍ ଲିମିଟେଡ୍ ନାମକ କ୍ରସର ୟୁନିଟକୁ ସିଲ କରି ଦିଆଯାଇଛି ।
ସୂଚନା ଥାଉକି ଗତ ୨୦୨୦ ମସିହା ମାର୍ଚ୍ଚମାସରେ ରାଜସ୍ୱ ବିଭାଗ ଚଢ଼ାଉ କରି କ୍ରସର ୟୁନିଟରେ ଚଢ଼ାଉ କରି ନାଲି ପତାକା ଝୁଲାଇଥିଲେ । ସେହି ସମୟରେ ସଠିକ୍ କାଗଜପତ୍ର ପାଇଁ ନୋଟିସ୍ ଜାରି ହୋଇଥିବା ବେଳେ କ୍ରସରୟୁନିଟ ପକ୍ଷରୁ ତିନି ମାସ ସମୟ ମାଗିଥିବା ବେଳେ କୈଣସି କାଗଜପତ୍ର ଦାଖଲ କରିପାରି ନଥିଲେ । ପୁଣି କ୍ରସର ୟୁନିଟଟି ଚାଲିବାରୁ ଏନେଇ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ । ତେବେ ଅଭିଯୋଗକୁ କ୍ରସର ଲିଜଧାରି ମାଲିକ ଖଣ୍ଡନ କରୁଥିବା ବେଳେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି ।
