ନିର୍ବାଚନ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୮ ଗିରଫ
ପୁରୀ : ପୁରୀ ଜିଲା କଣାସ ପଞ୍ଚାୟତରେ ନିର୍ବାଚନ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଅଭିଯୋଗରେ ୮ ଜଣଙ୍କୁ ଗିରଫ କଲା ଗଡିଶାଗୋଡା ଥାନା ପୋଲିସ । ଗିରଫ ୮ ଅଭିଯୁକ୍ତ ହେଲେ ସତ୍ୟପ୍ରିୟ ମହାରଣା, ବିଜୟ ସ୍ବାଇଁ, ସୁବାସ ମାଝୀ, ନିକୁଞ୍ଜ ସ୍ବାଇଁ, ଉତ୍ତମ ଭୁଜବଳ, ଅଜୟ ବରିସଲ, ବିଦ୍ୟାଧର ସ୍ବାଇଁ, ବ୍ରଜବନ୍ଧୁ ସ୍ବାଇଁ ।
ସୂଚନା ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନ୍ୟୁଜ୍ ସେଭେନ୍ ପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ପୁରୀ ଜିଲା କଣାସରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ନ୍ୟୁଜ୍ ସେଭେନ ପ୍ରତିନିଧି ସରୋଜ ମଲ୍ଲିକ ଓ କ୍ୟାମେରା ପର୍ସନ ରବିଶଙ୍କର । ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଖବର ସଂଗ୍ରହ ପାଇଁ ନ୍ୟୁଜ୍ ସେଭେନର ଏହି ପ୍ରତିନିଧି ଯାଇଥିବା ବେଳେ ଦୁର୍ବୃତ୍ତମାନେ ବୁମ୍, କ୍ୟାମେରା ଓ ଲାଇଭ୍ ମେସିନ୍ ଛଡାଇ ନେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା ।
