ବାଥୁଡି ସମ୍ପ୍ରଦାୟର ଅଠର ଦେଉଳ ପୂଜା ଉଦଯାପିତ
ବାରିପଦା : ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଥିବା ବାଥୁଡି ସମ୍ପ୍ରଦାୟର ଆଦିପୀଠ ଅଠର ଦେଉଳରେ ବାର୍ଷିକ ବଡାମ ପୂଜା ଭକ୍ତିମୟ ପରିବେଶ ମଧ୍ୟ ରେ ପାଳିତ ହୋଇ ଯାଇଛି । ଏଥିରେ ମୟୂରଭଞ୍ଜ ସମେତ ପଡୋଶୀ ବାଲେଶ୍ୱର , କେନ୍ଦୁଝର ଓ ଅନ୍ୟାନ୍ୟ ଜିଲାର ବାଥୁଡି ସମ୍ପ୍ରଦାୟର ଲୋକେ ଯୋଗ ଦେଇ ଥିଲେ । ଶିମିଳିପାଳ କ୍ଷେତ୍ର ନିର୍ଦେଶକଙ୍କ ଅନୁମତି କ୍ରମେ ବାରିପଦା, ଉଦଳା ଓ ବାଲେଶ୍ୱରରୁ ଆସି ଥିବା ଭକ୍ତ ମାନେ ପିଠାବଟା ପ୍ରବେଶ ଫାଟକ ଦେଇ ଶିମିଳିପାଳ ( ଦକ୍ଷିଣ) ପଟୁ ପ୍ରବେଶ କରି ମା ଦ୍ୱାରଶୁଣି , ଗଣେଶ୍ୱର ଗଡ଼ , ଗଡ଼ଚଣ୍ଡୀ, ଯୋରନ୍ଦା, ବରେହିପାଣି ଆଦି ପୂଜାସ୍ଥଳୀ ଗୁଡିକରେ ପୂଜାର୍ଚ୍ଚନା କରି ଲେମ୍ବୁଗଡା ନିକଟସ୍ଥ ମାନବ ଦେଉଳରେ ପ୍ରବେଶ କରିଥିଲେ ।
ସେହିପରି ଯଶିପୁର, କରଞ୍ଜିଆ, କେନ୍ଦୁଝର ଆଦି ଅଞ୍ଚଳରୁ ଆସି ଥିବା ଭକ୍ତ ମାନେ ଯଶିପୁରସ୍ଥିତ ଖଇରୀ ନିବାସ କାର୍ଯ୍ୟାଳୟରୁ ଅନୁମତି ପତ୍ର ନେଇ କାଳୀଆଣି ପ୍ରବେଶ ଫାଟକ ଦେଇ ଶିମିଳିପାଳରେ ପ୍ରବେଶ କରି ଅନ୍ଧାରୀ ଶାଳ , ଶଙ୍ଖେଇ ଶାଳ , ମହାବୃକ୍ଷ ଶାଳ, ଚମ୍ପାବତୀ, ବୁଢ଼ୀ ଘର ଆଦି ଉପାସନା ପୀଠ ଗୁଡିକ ରେ ପୂଜାର୍ଚ୍ଚନା କରି ମାନବ ଦେଉଳରେ ଏକତ୍ରୀତ ହୋଇ ଥିଲେ । ପାରମ୍ପରିକ ପୋଷକରେ ମାନବ ଦେଉଳ ପ୍ରାଙ୍ଗଣ ରେ ଏକତ୍ରୀତ ହୋଇ ବାଥୁଡି ସମ୍ପ୍ରଦାୟର ଲୋକେ ପତ୍ର କୁଡ଼ିଆ କରି ପ୍ରାୟ ଏକ ସପ୍ତାହ ବ୍ୟାପୀ ରହିବା ସହ ସେଠାରୁ ଈଶ୍ୱର ଦେଉଳ, ଲଷ୍ମୀ ଭଣ୍ଡାର, ବାଉଳି ଦେଉଳକୁ ଖାଲି ପାଦରେ ଚାଲି ଚାଲି ଯାଇ ପୂଜା କରିଥିଲେ । ମାନବ ଦେଉଳ ପ୍ରାଙ୍ଗଣ ରେ ଚାଙ୍ଗୁ ଖଳା ପ୍ରସ୍ତୁତ କରି ରାତି ତମାମ ପୁରୁଷ ମହିଳା ମାନେ ଚାଙ୍ଗୁ ନୃତ୍ୟରେ ନିଜକୁ ହଜେଇ ଦେଇ ଥିଲେ । ଚାଙ୍ଗୁ ବାଦ୍ୟର ଶବ୍ଦ ସହ ଜୟ ବଡାମ୍ ବଡାମଣୀ ଙ୍କର ଜୟ ଧ୍ୱନୀ ରେ ନିସ୍ତବ୍ଧ ବନ ମୁଲକ ପ୍ରକମ୍ପିତ ହେବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଥିଲା । ମାନବ ଦେଉଳ ରେ ରହଣୀ ସମୟ ରେ ବାଥୁଡି ମାନେ କ୍ଷର ଶୌଚ ହୋଇ ଉଦ୍ଧବ ଶୀଳାରେ ଅଙ୍ଗ ମର୍ଦ୍ଧନ କରି ଗୋମୟ ପାନ କରି ପବିତ୍ର ହୋଇ ପୂଜାରେ ସାମିଲ ହୋଇ ଥିଲେ । ଶହ ଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲି ଆସୁଥିବା ଏହି ପୂଜା ପରମ୍ପରା ଚଳିତ ବର୍ଷ ମଧ୍ୟ ସମାପନ ହୋଇଥିବାର ଜଣା ଯାଇଛି । ଏହି ନିଆରା ପୂଜା କାର୍ଯ୍ୟକ୍ରମ ରେ ଯଶିପୁର ବ୍ଲକ ଅଧ୍ୟକ୍ଷା କୁମୁଦୁନି ଦୋଳେଇ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନଗୋବିନ୍ଦ ନାୟକ , ଗୁଡୁଗୁଡ଼ିଆ ସମିତି ସଭ୍ୟା ଯସ୍ନା ମୟୀ ନାଏକ , ଜିଲ୍ଲା ପରିଷଦ ସଦସ୍ୟା ମିନତୀ ନାଏକ ବୀଣାପାଣି ନାଏକ , ପୂର୍ବତନ ବିଧାୟକ ବିଜୟ କୁମାର ନାଏକ , ମଉଦି ସରପଞ୍ଚ ପ୍ରଦୀପ କୁମାର ନାଏକ , ପୂର୍ବତନ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ନାଏକ , ବରିଷ୍ଠ ଦେହୁରୀ କୋଇବଲ୍ୟ ନାଏକ , ଯୁବ ସଂଗଠକ ପଙ୍କଜ କୁମାର ନାଏକ ଓ ବାଥୁଡି ସାଂସ୍କୃତିକ ଶାଖା , କେନ୍ଦ୍ରୀୟ କାର୍ଯ୍ୟାଳୟ ,ଭୁବନେଶ୍ୱର ସମେତ କେନ୍ଦୁଝର , କରଞ୍ଜିଆ,ରାଉରକେଲା ଶାଖା ର ବହୁ କର୍ମକର୍ତ୍ତା ଯୋଗ ଦେଇ ପୂଜା କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରି ଥିଲେ । ଏହି ପୂଜା ରେ ବିଶେଷ ସହଯୋଗ କରି ଥିବା ବନ ବିଭାଗ ତଥା ବିଭିନ୍ନ ବାଥୁଡି ସଂଗଠନ ଓ ବ୍ୟକ୍ତିବିଶେଷ ଙ୍କୁ ଜାମଦା ସାହି ସରପଞ୍ଚ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ନାଏକ ବାଥୁଡି ସମ୍ପ୍ରଦାୟ ତରଫ ରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
