୮୩ ବର୍ଷରେ ପାଦ ଦେଲେ ନରସିଂହ ନଗର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହ
ବଲାଙ୍ଗିର : ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ୮୩ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ଭଣ୍ଡାରରେ ନଗର କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠାନ କରି ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅନ୍ୟପଟେ ବିଧାୟକ ଶ୍ରୀ ମିଶ୍ର ଅପରାହ୍ନରେ ନିଜ ବଲାଙ୍ଗିର ସ୍ଥିତ ବାସଭବନକୁ ଫେରିବା ପରେ ତାଙ୍କ ପାଖକୁ ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛା ର ସୁଅ ଛୁଟିଛି । ଆଜିଠୁ ୮୩ ବର୍ଷ ପୂର୍ବରୁ ବଲାଙ୍ଗିର ସହର ନିକଟବର୍ତ୍ତି ଛତାମଖନା ଠାରେ ପିତା ସ୍ୱର୍ଗତ ୟୁଧିଷ୍ଟିର ମିଶ୍ର ଏବଂ ମାତା ଲିଳାବତୀ ମିଶ୍ରଙ୍କ ଔରଷରୁ ବିଧାୟକ ଶ୍ରୀ ମିଶ୍ର ଜନ୍ମ ଗ୍ରହଣ କରିଥିଲେ । ଛାତ୍ର ଜିବନରୁ ବାମପନ୍ଥି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରେ ସକ୍ରିୟ ହେବା ସହ ପିତା ଙ୍କ ସ୍ୱର୍ଗବାସ ପରେ ଆଇନଜିବୀ ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ପରବର୍ତ୍ତି ସମୟରେ ବିଜୁ ପଟ୍ଟନାୟକ ସରକାର ରେ ଲୋଇସିଂହା ବିଧାନସଭାରୁ ବିଜୟୀ ହୋଇ ଆଇନମନ୍ତ୍ରୀ ପଦ ସମ୍ଭାଳିଥିଲେ । ଆଇନରେ ଶ୍ରୀ ମିଶ୍ରଙ୍କ ପାରଦର୍ଶିତା ଯୋଗୁଁ ଦ୍ୱାଦଶ ଜାତୀୟ ଆଇନ କମିଶନ ର ସଦସ୍ୟ ଭାବେ ମନୋନିତ ହୋଇ ସୂଚାରୁ ରୂପେ କାର୍ଯ୍ୟ ତୁଳାଇଥିଲେ । ତା ସହ ବଲାଙ୍ଗିର ର ଏକମାତ୍ର ରାଜନେତା ଭାବରେ ସେ ଲୋଇସିଂହ, ବିନିକା ଓ ବଲାଙ୍ଗିର ଭଳିଆ ତିନୋଟି ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ, ବିରୋଧି ଦଳ ଉପନେତା ଏବଂ ବିରୋଧିଦଳ ନେତା ଭାବରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଆଜି ତାଙ୍କ ଜନ୍ମ ଦିନ ଅବସରରେ ସ୍ଥାନୀୟ ନଗର କଂଗ୍ରେସ ତରଫରୁ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆହୁରି ମଧ୍ୟ ଅଜୟ ବାଲି ଏବଂ ଯୁବ ପ୍ରତାପି ସେନାର ସରୋଜ ବେହେରା ନେତୃତ୍ୱରେ ଯୁବ ପ୍ରତାପି ସେନା ତରଫରୁ ଶ୍ରୀ ମିଶ୍ରଙ୍କ ଜନ୍ମ ଦିନ ଅବସରରେ ଗେଟସରୋବରପଡା ଏବଂ ଗାନ୍ଧୀନଗର ପଡା ଠାରେ ଛୋଟ ଛୋଟ ଛୁଆମାନଙ୍କୁ ବହି, ଖାତା, କଲମ, ପେନସିଲ ବଣ୍ଟନ କରା ହୋଇଥିଲା । ଆଜିର ରକ୍ତଦାନ କାର୍ଯ୍ୟକ୍ରମରେ ଅନ୍ତ ବେହେରା, ଲିପ୍ସା ରାନୀ ବେହେରାସମେତ ଆହୁରି ଅନେକ ଯୁବକ ରକ୍ତଦାନ କରିଥିଲେ ।
