ବିଧାନସଭା ଉପ-ନିର୍ବାଚନ : ୩ଟି ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ : ୩ଟି ରାଜ୍ୟର ବିଧାନସଭା ଉପ-ନିର୍ବାଚନ ପାଇଁ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି (ବିଜେପି)। ହରିୟାଣା, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଏହି ଘୋଷଣା କରିଛି ଦଳ । ଆଜି ଦଳ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇ ନେଇ ଆନୁଷ୍ଠାନିକ ଭାବେ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ହରିୟାଣାର ଆଦମପୁର ବିଧାନସଭା କ୍ଷେତ୍ରରୁ ଭବ୍ୟ ବିଷ୍ଣୋଇଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ଟିକେଟ ଦେଇଥିବା ବେଳେ ତେଲେଙ୍ଗାନାର ମୁନୁଗୋଡେ ବିଧାନସଭା ସିଟରେ ଦଳ ପକ୍ଷରୁ କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ । ସେହିପରି ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଆସନରୁ ଅମନ ଗିରିଙ୍କୁ ଟିକେଟ ଦେଇଛି ଦଳ । ବିଭିନ୍ନ କାରଣରୁ ଏହି ସବୁ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ।
ବିଭିନ୍ନ କାରଣ ପାଇଁ ୬ଟି ରାଜ୍ୟରେ ଖାଲି ପଡିଥିବା ୭ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ ଆୟୋଗ । ମହାରାଷ୍ଟ୍ରର ଅନ୍ଧେରୀ-ଇଷ୍ଟ ବିଧାନସଭା ଆସନ, ବିହାରର ଦୁଇଟି ଆସନ, ମୋକାମା ଗୋପାଳଗଞ୍ଜ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଓ ଓଡିଶାର ଧାନନଗର ବିଧାନସଭା ଆସନରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୩ ତାରିଖରେ ମତଦାନ ହେବାକୁ ଥିବା ବେଳେ ୬ ତାରିଖରେ ଗଣତି ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ରେ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଆଜି ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯାୟରେ ମୋଟ ୩ ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ ରାଜ୍ୟର ଅବଶିଷ୍ଟ ୪ ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିବା ନେଇ ଅନୁମାନ କାରଯାଉଛି ।
