ଅସ୍ମିତା-୨୦୨୩ କାର୍ଯ୍ୟକ୍ରମ ଉଦ୍ଯାପିତ
ବାଲିଆପାଳ : ସୁବର୍ଣ୍ଣରେଖା ବନ୍ଦର ତରଫରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଅସ୍ମିତା-୨୦୨୩ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗୁରୁବାର ଜ୍ୟୋତି ମେଧା ବୃତ୍ତିରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଶୁକ୍ରବାର ଏସ୍ଏଚ୍ଜି ମହିଳାଙ୍କୁ ସାର୍ଟିଫିକେଟ ପ୍ରଦାନ ସହିତ କୃଷକମାନଙ୍କୁ ସଶସ୍ତ କରିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା ।
ବାଲିଆପାଳ ଫିଜିକାଲ କଲେଜ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ଅସ୍ମିତା-୨୦୨୩ କାର୍ଯ୍ୟକ୍ରମରେ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ, ଓଡ଼ିଶା ଜୀବିକା ମିଶନର ସଭାପତି ଡ. ବିଭୁ ସନ୍ତୋଷ ବେହେରା, ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ, କୃଷି ବୈଜ୍ଞାନିକ ଅଦୈତ୍ୟ କୁମାର ପାତ୍ର, କୃଷି ଓ କୃଷକ ସଶକ୍ତ ଅଧିକାରୀ ଅଂଶୁମାନ ପଟ୍ଟନାୟକ, କେବିକେର ମୁଖ୍ୟ ବୈଜ୍ଞାନିକ ଡ. ସ୍ୱାଗତିକା ସାହୁ, ଜିଲା ମୁଖ୍ୟ ପଶୁସମ୍ପଦ ଅଧିକାରୀ, ବାଲେଶ୍ୱର ଜିଲା କୃଷି ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହିଭଳି ସାମାଜିକ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ । ସୁବର୍ଣ୍ଣରେଖା ବନ୍ଦରର ଡାଇରେକ୍ଟର ପ୍ରକାଶ ସିଂ ଏବଂ ସିଏସ୍ଆର୍ ମୁଖ୍ୟ ପ୍ରମୋଦ କୁମାର ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶବାଇ ଘାସ ଏବଂ ଚାନ୍ଦୁଆରୁ ପ୍ରସ୍ତୁତ ଘରୋଇ ଉପକରଣ ଆଦି ତାଲିମ ନେଇ ଆତ୍ମନିର୍ଭରଶୀଳ ହୋଇଥିବା ମହିଳାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବା ସହିତ ଚାଷୀମାନେ ଧାନ, ମୀନ, ପାନ ସମ୍ପର୍କରେ କିଭଳି ଅତ୍ୟାଧୁନିକ ବୈଜ୍ଞାନିକ ଯନ୍ତ୍ରପାତିର ବ୍ୟବହାର କରି ସ୍ୱଳ୍ପ ଖର୍ଚ୍ଚ ଏବଂ ପରିଶ୍ରମରେ ଉନ୍ନତ ଚାଷ କାର୍ଯ୍ୟ କରିପାରିବେ ସେ ବିଷୟରେ ମଧ୍ୟ ତାଲିମ ପ୍ରଦାନ ଦିଆଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସୁବର୍ଣ୍ଣରେଖା ବନ୍ଦର ତରଫରୁ ମୁଖ୍ୟ ପ୍ରକାଶ ସିଂ କହିଛନ୍ତି । ଏଥିରେ ଉଭୟ ବସ୍ତା ଏବଂ ବାଲିଆପାଳ ବ୍ଲକର ୪୦୦ରୁ ଉର୍ଦ୍ଧ ଏସ୍ଏଚ୍ଜି ମହିଳା ଏବଂ ବହୁ ଚାଷୀ ଯୋଗ ଦେଇଥିଲେ ।
