ଏସୀୟ ଚାମ୍ପିଅନସିପ : ସେମିରେ ସିନ୍ଧୁ, ପଦକ ପକ୍କା
ମାନିଲା: ଅଲିମ୍ପିକ୍ସରେ ଦୁଇ ଥର ପଦକ ବିଜୟୀ ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଶୁକ୍ରବାର ଏଠାରେ ଚୀନର ଓ୍ଵିଙ୍ଗ ଜିଆଓଙ୍କୁ ରୋମାଞ୍ଚର ମୁକାବିଲାରେ ହରାଇ ମହିଳା ଏକକ ବର୍ଗରେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହିତ ସିନ୍ଧୁ ଏସୀୟ ଚାମ୍ପିଅନସିପରେ ନିଜ ପାଇଁ ଏକ ପଦକ ନିଶ୍ଚିତ କରିଛନ୍ତି। କୋଭିଡ୍-୧୯ କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ଦୁଇ ବର୍ଷ ପରେ ଖେଳାଯାଉଛି।
ସିନ୍ଧୁ ଏକ ଘଣ୍ଟା ୧୬ ମିନିଟ୍ ଧରି ଚାଲିଥିବା କ୍ଵାର୍ଟର ଫାଇନାଲରେ ପଞ୍ଚମ ମାନ୍ୟତା ପ୍ରାପ୍ତ ଚୀନ ଖେଳାଳିଙ୍କୁ ୨୧-୯, ୧୩-୨୧ ଏବଂ ୨୧-୧୯ରେ ହରାଇଛନ୍ତି। ସୈୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ଵିସ୍ ଓପନରେ ଦୁଇଟି ସୁପର ୩୦୦ ଟାଇଟଲ୍ ଜିତିଥିବା ହାଇଦ୍ରାବାଦର ୨୬ ବର୍ଷୀୟ ଖେଳାଳି ସେମି ଫାଇନାଲରେ ଜାପାନର ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ୟାମାଗୁଚିଙ୍କୁ ଭେଟିବେ।
ଆଜିର ମ୍ୟାଚରେ ପୂର୍ବତନ ବିଶ୍ଵ ଚାମ୍ପିଅନ ପିଭି ସିନ୍ଧୁ ଆରମ୍ଭରୁ ହିଁ ନିଜର ଆଭିମୁଖ୍ୟ ଜାହିର କରିଥିଲେ। ପ୍ରଥମ ଗେମରେ ୧୧-୨ରେ ଅଗ୍ରଣୀ ହାସଲ କରିବା ସହ ୨୧-୧୨ରେ ଜିତି ନେଇଥିଲେ। ତେବେ ଦ୍ଵିତୀୟ ଗେମରେ ଚୀନ ପ୍ରତିପକ୍ଷ ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ୨-୨ରେ ବରାବର କରିଥିଲ। ହେଲେ ନିର୍ଣ୍ଣାୟକ ଗେମରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଶେଷରେ ବାଜି ମାରି ନେଇଥିଲେ ସିନ୍ଧୁ। ସେ ୨୧-୧୯ରେ ଓ୍ଵିଙ୍ଗ ଜିଆଓଙ୍କୁ ମାତ୍ ଦେଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
