ଏସିଆନ୍ ଚାମ୍ପିୟନ୍ସ ଟ୍ରଫି : ଭାରତର ହ୍ୟାଟ୍ରିକ୍ ବିଜୟ
ଭୁବନେଶ୍ୱର : ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଂଟରେ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ରବିବାର ଭାରତ ତା’ର ତୃତୀୟ ରାଉଣ୍ଡ ରବିନ୍ ମ୍ୟାଚରେ ଜାପାନକୁ ୬-୦ ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ପଏଂଟ ଟେବୁଲର ଶୀର୍ଷରେ ତା’ର ସ୍ଥାନ ମଜଭୁତ୍ କରିଛି । ଯଦିଓ ପୂର୍ବରୁ ଭାରତ ସେମିଫାଇନାଲ୍ ଟିକେଟ୍ କାଟିସାରିଥିଲା, ତେଣୁ ଟିମ୍ ପାଇଁ ଏହି ମ୍ୟାଚ୍ ଔପଚାରିକତା ଥିଲା । ସେମିରେ ଭାରତର ସାମ୍ନା ପାକିସ୍ତାନ କିମ୍ବା ଜାପାନ ସହ ହୋଇପାରେ ।
ରବିବାର ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଦୁଇଟି (ଦଶମ, ୫୩ତମ) ଗୋଲ୍ ଦେଇଥିବା ବେଳେ ଦିଲପ୍ରୀତ ସିଂହ (୨୩ତମ), ଜର୍ମନପ୍ରୀତ ସିଂହ (୩୪ତମ), ସୁମିତ୍ (୪୬ତମ) ଓ ଶମଶେର୍ ସିଂହ (୫୪ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ । ଏହାବ୍ୟତୀତ ଗୋଲକିପର ସୂରଜ କରକେରା ଭାରତ ପାଇଁ ଜବରଦସ୍ତ କିପିଂ ଅନେକ ଜାପାନକୁ ଗୋଟିଏ ଗୋଲ କରିବାକୁ ଦେଇନାହାନ୍ତି । ଅନ୍ୟପକ୍ଷରେ ଜାପାନ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ କରି ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇନାହିଁ । ପୂରା ମ୍ୟାଚରେ ଭାରତର ଦବଦବା ରହିଥିଲା । ପ୍ରଥମାର୍ଦ୍ଧରେ ଭାରତ ଗୋଟିଏ ଗୋଲ୍ ଦେଇଥିଲା । ମ୍ୟାଚର ଦଶମ ମିନିଟରେ ବ୍ୟାକ୍ ଟୁ ବ୍ୟାକ୍ ତିନୋଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ସେଥିରୁ ଗୋଟିଏ ଗୋଲରେ ପରିଣତ ହୋଇଥିଲା । ଏହି ଗୋଲଟି ଦେଇଥିଲେ ହରମନପ୍ରୀତ କୌର । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା । ୨୩ତମ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଦେଇ ଭାରତର ସ୍କୋରକୁ ୨-୦ରେ ପହଂଚାଇଥିଲେ । ଦ୍ୱିତୀୟାର୍ଦ୍ଧରେ ଭାରତ ଅଧିକ ଆକ୍ରାମକ ଖେଳ ଦେଖାଇଥିଲା । ଜର୍ମନପ୍ରୀତ ୩୪ତମ ମିନିଟରେ ଭାରତ ପାଇଁ ତୃତୀୟ ଗୋଲ୍ ଦେଇଥିଲେ । ଏହା ପରେ ସୁମିତ୍ ୪୬ତମ, ହରମନପ୍ରୀତ ୫୩ତମ ଓ ଶମଶେର୍ ୫୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ୍ ଦେଇ ସ୍କୋରକୁ ୬-୦ରେ ପହଂଚାଇ ଥିଲେ । ଏହିପରି ଭାବେ ଭାରତ ତୃତୀୟ କ୍ୱାର୍ଟରରେ ଗୋଟିଏ ଏବଂ ଚତୁର୍ଥ କ୍ୱାର୍ଟରରେ ତିନୋଟି ଗୋଲ୍ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା ।
