ଏସିଆ କପ ୨୦୨୩ : ଆଜି ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ଟକ୍କର, ଜାଣନ୍ତୁ କାହା ଉପରେ କିଏ ପଡିବ ଭାରି ?
ନୂଆଦିଲ୍ଲୀ : ଏସିଆ କପ୍ ୨୦୨୩ । ଏସିଆ କପରେ ଆଜି ମହାମୁକାବିଲା । ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକସ୍ତାନ । ଶ୍ରୀଲଙ୍କାର ପଲେକେଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶନିବାର ଅପରାହ୍ଣ ୩ଟାରେ ଏହି ହାଇଭୋଲଟେଜ୍ ଟକ୍କର ଦେଖିବାକୁ ମିଳିବ । ସାରା ଦେଶ ଓ ବିଶ୍ୱର କ୍ରିକେଟ ଫ୍ୟାନ ଏହି ମ୍ୟାଚ୍ ଉପରେ ନଜର ରଖିଛନ୍ତି । ଏହି ମ୍ୟାଚ୍ ଜିତି ଏସିଆ କପ୍ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ପାକିସ୍ତାନକୁ ଧୂଳି ଚଟାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ରୋହିତ ବାହିନୀ ।
ଭାରତର ବ୍ୟାଟିଂ ପାଓ୍ୱାର ହାଉସ୍ ସାଜିବେ ହିଟ୍ ମ୍ୟାନ୍ ରୋହିତ ଶର୍ମା, ରନ୍ ମେସିନ୍ ବିରାଟ କୋହଲି, ବିସ୍ଫୋରକ ଓପନର ଶୁଭମନ୍ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା । ପାକିସ୍ତାନ ବିପକ୍ଷ ଓ୍ୱାନ ଡେରେ ରୋହିତ ଓ ବିରାଟ ଅଧିକ ରନ୍ କରିଛନ୍ତି । ଏମାନେ ଠିଆ ହେଲେ ବଡ଼ ସ୍କୋର ହେବ । ଲୋକେଶ ରାହୁଲ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଇଶାନ୍ କିଷାନଙ୍କୁ ସୁଯୋଗ ମିଳିପାରେ । ୪ ନମ୍ୱରରେ କିଏ ଖେଳିବେ ? ବିରାଟ, ଇଶାନ୍ ନା ଶ୍ରେୟସ ଆୟାର ତାଉପରେ ନଜର ରହିଛି । ଦ୍ରୁତ ବୋଲିଂ ଭାର ଯଶପ୍ରୀତ ବୁମରାହ, ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ କାନ୍ଧରେ ରହିବ । ଚତୁର୍ଥ ସ୍ପିନ ବାହିନୀ ସମ୍ଭାଳିବେ କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ।
ଅନ୍ୟପଟେ ପାକିସ୍ତାନ ବି ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ଖେଳିବ । ଏସିଆ କପ୍ ପଦାର୍ପଣ ମ୍ୟାଚରେ ନେପାଳକୁ ୨୩୮ ରନରେ ହରାଇଥିଲା । ଭାରତ ରାସ୍ତାରେ କଣ୍ଟା ସାଜି ପାରନ୍ତି ଗତ ମ୍ୟାଚର ହିରୋ କ୍ୟାପଟେନ୍ ବାବର ଆଜମ, ଇଫିତିକାର ଅହମ୍ମଦ, ମହମ୍ମଦ ରିଜୁଆନ୍, ସାହିନ ଆଫ୍ରିଦି, ନସିମ୍ ଶାହ ଓ ହାରିସ ରଉଫ । ଯେକୌଣସି ସମୟରେ ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି ଏମାନେ । ରେକର୍ଡ କହୁଛି ଏସିଆ କପରେ ଉଭୟ ଦଳ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ଦିନିକିଆ ଫର୍ମାଟରେ ୧୩ଟି ମ୍ୟାଚରୁ ଭାରତ ୭ ଓ ପାକିସ୍ତାନ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଟି-ଟ୍ୱେଣ୍ଟି ଫର୍ମାଟରେ ୩ଟି ମ୍ୟାଚରୁ ଭାରତ ୨ଟି ଓ ପାକିସ୍ତାନ ଜିତିଛି ଗୋଟିଏ ମ୍ୟାଚ୍ । ଅନ୍ୟପଟେ ଏସିଆ କପରେ ଗତ ୫ଟି ମ୍ୟାଚରୁ ୪ଟିରେ ହାରିଛି ପାକିସ୍ତାନ ।
ସୂଚନା ଯେ, ଭାରତ-ପାକିସ୍ତାନ ମଧ୍ୟରେ ଏବେ ଯାଏଁ ଏସିଆ କପ୍ରେ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ଏସିଆ କପ୍ର ୧୫ତମ ସିଜିନ୍ରେ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ତେବେ ୧୬ଟି ମୁକାବିଲା ମଧ୍ୟରୁ ୧୯୯୭ରେ ଖେଳାଯାଇଥିବା ମ୍ୟାଚ୍ରେ ରେଜଲ୍ଟ ବାହାରିନଥିଲା । ବାକି ଆଉ ୧୫ଟି ମ୍ୟାଚ୍ରେ ଜୋରଦାର ହୋଇଥିଲା ଲଢେଇ ।
୧୯୮୪ରୁ ୨୦୧୮ ପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଟୁର୍ଣ୍ଣାମେଣ୍ଟ । ଏହି ସମୟରେ ଭାରତ ପାକିସ୍ତାନ ମଧ୍ୟରେ ୧୩ଟି ମୁକାବିଲା ହୋଇଛି । ଯେଉଁଥିରେ ପାକିସ୍ତାନ ୫ଥର ବିଜୟ ହୋଇଥିବା ବେଳେ ଭାରତୀୟ ଟିମ୍ ୭ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ର କୌଣସି ରେଜଲ୍ଟ ବାହାରିନାହିଁ । ଭାରତୀୟ ଟିମ୍ ପାକିସ୍ତାନକୁ ୧୯୮୪, ୧୯୮୮, ୨୦୦୮, ୨୦୧୦, ୨୦୧୨ରେ ଗୋଟିଏ ଲେଖାଏଁ ଏବଂ ୨୦୧୮ରେ ଦୁଇ ଥର ପରାସ୍ତ କରିଛି । ଅନ୍ୟପଟେ ପାକିସ୍ତାନ ଭାରତୀୟ ଟିମ୍କୁ ୧୯୯୫ରେ ପ୍ରଥମ ଥର ପାଇଁ ପରାସ୍ତ କରିଥିଲା । ଏହାପରେ ୨୦୦୦, ୨୦୦୪, ୨୦୦୮, ୨୦୧୪ରେ ଭାରତୀୟ ଟିମ୍କୁ ପରାସ୍ତ କରିଛି ।
ସେହିପରି ଏସିଆ କପ୍ର ଟି-୨୦ ଫର୍ମାଟରେ କଥା କହିବାକୁ ଗଲେ, ମୋଟ ତିନି ଥର ମୁହାଁମୁହିଁ ହୋଇଛନ୍ତି । ବର୍ଷ ୨୦୧୬ ରେ ଗୋଟିଏ ମ୍ୟାଚ୍ ଏବଂ ୨୦୨୨ରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ୨୦୧୬ରେ ଭାରତ ପାକିସ୍ତାନରୁ ୫ଓ୍ୱିକେଟ୍ରେ ପରାସ୍ତ କରିଥିଲା । ଏହାପରେ ୨୦୨୨ର ଗ୍ରୁପ ଷ୍ଟେଜ୍ ଓ ସୁପର-୪ରେ ପାକିସ୍ତାନ ବିଜୟ ହୋଇଥିଲା । ଏହିସବୁ ରେକର୍ଡକୁ ଦୃଷ୍ଟିକୁ ନେଲେ ଆଜି ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ହେଲେ ବର୍ଷା ଉପରେ ସମସ୍ତଙ୍କ ନଜର ରହିଛି ।
ସମ୍ଭାବ୍ୟ ଦଳ :
ଭାରତ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର/ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।
ପାକିସ୍ତାନ : ଫଖାର ଜମାନ, ଇମାମ ଉଲ୍-ହକ୍, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଆଘା ସଲମାନ, ଇଫତିଖର ଅହମ୍ମଦ, ଶଦାବ ଖାନ, ମହମ୍ମଦ ନୱାଜ, ନସିମ ଶାହ, ସହିନ ଆଫ୍ରିଦି, ହ୍ୟାରିସ ରୌଫ ।
