ଏସିଆ କପ୍ ୨୦୨୩ : ଇଶାନ ଓ ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ, ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ
କାଣ୍ଡି : ଶ୍ରୀଲଙ୍କାର ପାଲେକେଲେଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତ ପାଲ୍ଲିକଲ ଷ୍ଟାଡିୟମରେ ଖେଳା ଯାଉଥିବା ଏସିଆ କପ୍ର ଏକ ବଡ଼ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୮.୫ ଓଭରରେ ୨୬୬ ରନର ଲଢୁଆ ସ୍କୋର କରିଛି। ଭାରତ ପକ୍ଷରୁ ହାର୍ଦ୍ଦି ପାଣ୍ଡ୍ୟା ସର୍ବାଧିକ ୮୭ ରନର ଦମଦାର ଇନିଂସ ଖେଳିଥିବା ବେଳେ ଇଶାନ କିଷନ ୮୨ ରନର ଗୁରୁତ୍ଵପୂର୍ଣ୍ଣ ପାଳି ଖେଳିଛନ୍ତି। ଦୁଇ ବ୍ୟାଟରଙ୍କ ମଧ୍ୟରେ ଶତକୀୟ ଇନିଂସ ଯୋଗୁଁ ଭାରତ ଏହି ସ୍କୋର କରି ପାରିଛି। ମ୍ୟାଚ୍କୁ ଜିତିବା ପାଇଁ ପାକିସ୍ତାନ ସମ୍ମୁଖରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଛି। ପାକ୍ ପକ୍ଷରୁ ହାରିସ ରଉଫ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ପାକିସ୍ତାନର ପେସର ମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଲଗାତାର ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଥିଲେ ଇଶାନ କିଷନ । ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଭାରତ ୧୫ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମା(୧୧)ଙ୍କ ଓ୍ଵିକେଟ୍ ହରାଇଥିଲା। ତେବେ ବିରାଟ କୋହଲି(୪) ଶୀଘ୍ର ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଆହତଜନିତ ସମସ୍ୟାରୁ ମୁକୁଳି ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରେୟସ ଆୟର ଭଲଫର୍ମରେ ନଜର ଆସିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ୧୪ ରନ କରି ବିଦାୟ ନେଇଥିଲେ। ଶୁଭମନ ଗିଲ୍ ଓ୍ଵେଷ୍ଟଇଣ୍ଡିଜର ଖରାପ ଫର୍ମକୁ ବଜାୟ ରଖିଥିଲେ। ସେ କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ ହେଁ ୧୦ ରନ କରି ପାଭିଲିୟନ ଫେରିଥିଲେ। ୬୬ ରନରେ ୪ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମୁସ୍କିଲ ସ୍ଥିତିରେ ପଡ଼ିଥିବା ଭାରତର ଇନିଂସ ସମ୍ଭାଳିଥିଲେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା। ଦୁଇ ବ୍ୟାଟର ପ୍ରଥମେ ଧୈର୍ଯ୍ୟର ସହ ଦେଖିଚାହିଁ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ହାତଖୋଲା ସଟ୍ ଖେଳିଥିଲେ। ଭାରତ ଉପରେ ଥିବା ଚାପକୁ ହଟାଇବା ସହ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଏହି କ୍ରମରେ ଇଶାନ ନିଜର ନିଜର ଫର୍ମ ବଜାୟ ରଖି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ପାଣ୍ଡ୍ୟା ମଧ୍ୟ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା କିଷନ ବଡ଼ ସଟ୍ ଖେଳିବାକୁ ପ୍ରୟାସ କରି ନିଜର ଓ୍ଵିକେଟ୍ ହରାଇଥିଲେ। ଏହି ବାମହାତୀ ବ୍ୟାଟର ୮୧ ବଲ୍ରୁ ୯ ଚୌକା ଓ ୨ ଚକା ସହାୟତାରେ ୮୨ ରନର ଦମଦାର ଇନିଂସ ଖେଳିଥିଲେ। ଏହା ପୂର୍ବରୁ ସେ ହାର୍ଦ୍ଦିକଙ୍କ ସହ ପଞ୍ଚମ ଓ୍ଵିକେଟ୍ ପାଇଁ ୧୩୮ ରନ ଯୋଡ଼ି ଦଲର ସ୍କୋର ୨୦୦ ପାର କରାଇଥିଲେ। ଇଶାନଙ୍କ ଆଉଟ୍ ପରେ ବି ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ। ସେ ମଧ୍ୟ ଶତକ ଆଡ଼କୁ ଅଗ୍ରସର ହେଉଥିଲେ ହେଁ ଆଉଟ୍ ହୋଇଥିଲେ। ପାଣ୍ଡ୍ୟା ୯୦ ବଲ୍ରୁ ୭ ଚୌକା ଓ ୧ ଛକା ସହ ୮୭ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ହାର୍ଦ୍ଦିକଙ୍କ ଆଉଟ୍ ହେବା ମାତ୍ରେ ଭାରତ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଜାଡେଜା (୧୪ ରନ) ଓ ଶାର୍ଦ୍ଦୁଲ ଠାକୁର (୩) ଆଉଟ୍ ହେବାରୁ ଭାରତର ରନ ଗତି ଧିମେଇ ଯାଇଥିଲା। ଏକଦା ୩୦୦ରୁ ଉର୍ଦ୍ଧ୍ଵ ରନର ସମ୍ଭାବନା ଲାଗୁଥିଲେ ହେଁ ନିମ୍ନକ୍ରମରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭାରତ ୪୮.୫ ଓଭରରେ ୨୬୬ ରନରେ ଅଲଆଉଟ୍ ହୋଇଛି। ଶେଷ ଆଡକୁ ଯଶପ୍ରୀତ ବୁମରା ୧୬ ରନ କରି ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ପାକିସ୍ତାନ ପକ୍ଷରୁ ସଫଳ ବୋଲର ଭାବେ ଶାହିନ ଆଫ୍ରିଦି ୩୫ ରନ ଦେଇ ୪ଟି ଓ୍ଵିକେଟ୍ ଦଖଲ କରିଛନ୍ତି। ହାରିସ ରାଉଫ ୬୦ ରନ ବ୍ୟୟ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ନସୀମ ଶାହଙ୍କୁ ମଧ୍ୟ ୩ଟି ଓ୍ଵିକେଟ୍ ମିଳିଛି।
